କାଠମାଣ୍ଡୁ: ନେପାଳର ବିମାନ ଦୁର୍ଘଟଣାକୁ ନେଇ ଆଜି ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ନେପାଳ ସରକାର। ଏପଟେ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି। ନେପାଳ ପୋଖରାରେ ୟେତି ଏୟାର୍ଲାଇନ୍ସ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି ପାଇଥିବା ବେଳେ, ଏବେ ବି ୪ ଜଣ ନିଖୋଜ ଅଛନ୍ତି। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି।
ଏହି ବିମାନରେ ୫ ଭାରତୀୟଙ୍କ ସମେତ ୬୮ ଯାତ୍ରୀ ଓ ୪ କ୍ରୁ ମେମ୍ବର ଥିଲେ। ବିମାନର ପ୍ରାୟ ସବୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ, ୫ ଭାରତୀୟଙ୍କ ପରିଚୟ ମିଳିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ବି, କୁହାଯାଉଛି ଯେ ବିମାନଟି ପୋଖରା ଏୟାରପୋର୍ଟରେ ଲାଣ୍ଡିଂର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ଖସିପଡ଼ି ଜଳିଯାଇଥିଲା।
ବିମାନ କ୍ରାସ୍ର ଯାଞ୍ଚ କରୁଥିବା ଟିମ୍ର ଜଣେ ସଦସ୍ୟଙ୍କ କହିବା ମୁତାବକ, ଭିଡିଓ କ୍ଲିପ୍ ଅନୁଯାୟୀ ବିମାନର ଉପର ଅଂଶ ଟିକିଏ ଉପରକୁ ଉଠିଥିଲା ଏବଂ ତା’ ପରେ ଏହାର ଡେଣା ବାମ ଆଡ଼କୁ ଅଳ୍ପ ଢ଼ଳେଇ ରହିଥିଲା। ଏହା ଗୋଟିଏ କାରଣ ହୋଇପାରେ। ତଦନ୍ତ ଶେଷ ହେବା ପରେ ହିଁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି। ତଥାପି, ଭୁଲ୍ ବିମାନ ଚଳାନା, ବିମାନରେ ଯାନ୍ତ୍ରିକ ତ୍ରୁଟି କିମ୍ବା ପାଇଲଟ ଥକାପଣ ଦୁର୍ଘଟଣାର କାରଣ ହୋଇପାରେ।
ଫ୍ଲାଇଟ୍ ଟ୍ରାକିଂ ୱେବ୍ସାଇଟ୍ Flightradar24 ଅନୁଯାୟୀ, ଏଟିଆର୍ ୭୨-୫୦୦ ବିମାନଟି ୧୫ ବର୍ଷ ପୁରୁଣା ଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।