ନୂଆଦିଲ୍ଲୀ: ନେପାଳ ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି। ଏହାର ତର୍ଜମା କରାଯିବ ତା ପରେ ଜଣାପଡ଼ିବ କେଉଁ ପରିସ୍ଥିତିରେ ବିମାନର ଦୁର୍ଘଟଣା ଘଟିଲା।
ରବିବାର ଦିନ ସକାଳ ୯ଟା ୫୫ରେ ତାରା ଏୟାରର ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜମସମ ଯାଉଥିଲା। ଉଡ଼ାଣର ୧୫ ମିନିଟ ପରେ ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ପାଖ ନଦୀ କୂଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଏଥିରେ ୪ ଜଣ ଭାରତୀୟ, ୨ ଜଣ ଜର୍ମାନୀ ନାଗିରକ ଥିଲେ। ବାକି ସମସ୍ତେ ନେପାଳର ନାଗରିକ ଥିଲେ। ଏହି ବିମାନଟି ୪୩ ବର୍ଷ ପୁରୁଣା ଥିଲା।
ନେପାଳ ସେନା ପକ୍ଷରୁ ସର୍ଚ୍ଚ ଅଫରେସନ ବେଳେ ରବିବାର ଅପରାହ୍ଣରେ ବିମାନର ଧ୍ୱଂସାବଶେଷ ମିଳିଥିଲା। ତେବେ ଖରାପ ପାଗ ଯୋଗୁଁ ସର୍ଚ୍ଚ ଅପରେସନ ଅଧାରୁ ବନ୍ଦ ରହିଥିଲା। ଗତକାଲି ସକାଳେ ପୁଣି ଅପରେସନ ଆରମ୍ଭ ହୋଇଥିଲା। ନେପାଳ ସେନା ଓ ପୁଲିସ ମିଳିତ ଭାବେ ବିମାନର ଦୁର୍ଘଟଣାସ୍ଥଳ ଠାବ କରିଥିଲେ। ପରେ ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି।
ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ଦେଖି ସନ୍ଦେହ କରାଯାଉଛି ଯେ, ବିମାନଟି କୌଣସି ଏକ ପାହଡ ସହ ଧକ୍କା ହୋଇଛି। ଏଥିରେ ନିଆଁ ଲାଗି ନାହିଁ। କାରଣ ଅଗ୍ନିକାଣ୍ଡର ଚିହ୍ନଟ କେଉଁଠି ବି ନାହିଁ। ତୁଷାରପାତ ଏବଂ ଘନ କୁହୁଡି ଯୋଗୁ ବିମାନଟି ପାହାଡ ସହ ଧକ୍କା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ସେପଟେ ତାରା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ନେପାଳ ସରକାର ଏକ ପାଞ୍ଚ ଜଣିଆ କମିଶନ ଗଠନ କରିଛନ୍ତି। ଏହି ଆୟୋଗ ଏହି ଘଟଣାର କାରଣ ଅନୁସନ୍ଧାନ କରିବା ସହିତ ଏଭଳି ଘଟଣାକୁ ଏଡାଇବା ପାଇଁ ପରାମର୍ଶ ଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।