ନୂଆଦିଲ୍ଲୀ: ଆଦି ଦେଶ ପାଳୁଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ। ଲାଲ କିଲ୍ଲାରୁ ବିକଶିତ ଭାରତର ନକ୍ସା ଆଙ୍କିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦେଶବାସୀଙ୍କ ସାମ୍ନାରେ ନେଇଛନ୍ତି ୫ଟି ସଙ୍କଳ୍ପ। ଆଗାମୀ ୨୫ ବର୍ଷ ପାଇଁ ଦେଇଛନ୍ତି ବ୍ଲୁପ୍ରିଣ୍ଟ।
ପ୍ରଥମ ସଙ୍କଳ୍ପ- ବିକଶିତ ଭାରତ
ଦ୍ୱିତୀୟ ସଙ୍କଳ୍ପ- କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ।
ତୃତୀୟ ସଙ୍କଳ୍ପ- ଆମର ଐତିହ୍ୟ ପାଇଁ ଆମେ ଗର୍ବିତ ହେବା ଉଚିତ୍। ଏହା ହେଉଛି ସେହି ଉତ୍ତରାଧିକାରୀ, ଯିଏ ଏକଦା ଭାରତକୁ ସ୍ୱର୍ଣ୍ଣିମ ଯୁଗ ଦେଇଥିଲା।
ଚତୁର୍ଥ ସଙ୍କଳ୍ପ- ଦେଶରେ ଏକତା ଓ ଏକଜୁଟ ବଜାୟ ରଖିବା। ଦେଶର ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହୁ।
ପଞ୍ଚମ ସଙ୍କଳ୍ପ- ନାଗରିକମାନଙ୍କର କର୍ତ୍ତବ୍ୟ। ଏଥିରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍ ପଡିବେ ନାହିଁ।
ଆସନ୍ତା ୨୫ ବର୍ଷ ପାଇଁ ୫ଟି ସଂକଳ୍ପ ଆଧାରରେ ଆମକୁ ଧ୍ୟାନ ଦେବାକୁ ପଡିବ। ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ିଙ୍କୁ ସଂକଳ୍ପ ନେଇ କାମ କରିବା ଉଚିତ। ପଞ୍ଚ ପ୍ରଣ ବା ସଙ୍କଳ୍ପକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ ବୋଲି ମୋଦି ଲାଲକିଲ୍ଲାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଦେଶ ପାଇଁ ଶପଥ ନେଇଛନ୍ତି।
ଏଥିସହ ମୋଦି ସ୍ୱଚ୍ଛତା, ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ କଥା ମଧ୍ୟ କହିଛନ୍ତି। ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୋଲାମୀ ଠାରୁ ଦୂରେଇ ଯାଇଛୁ। ଡିଜିଟାଲ ଇଣ୍ଡିଆ, ଷ୍ଟାଟ ଆପ୍ର ସୁଫଳ ଦେଶବାସୀଙ୍କୁ ମିଳିଛି। ଭାରତର ପବିତ୍ର ଜୀବନ ଶୈଳୀକୁ ସାରା ବିଶ୍ୱ ଗ୍ରହଣ କରିଛି। ସଂଯୁକ୍ତ ପରିବାରର ମହନୀୟତା ହେଉଛି ଆମର ସାମର୍ଥ୍ୟ ବୋଲି ମୋଦି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।