ଲକ୍ଷ୍ନୌ: ୟୁପି ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଗତକାଲି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ପ୍ରଶ୍ନର ଜବାବ ଦେଇ ନିଜ ଆଡ଼କୁ ଇଶାରା କରିଥିଲେ। ହେଲେ ୨୪ ଘଣ୍ଟା ମଧ୍ୟରେ ନିଜ ମତ ବଦଳାଇଛନ୍ତି ପ୍ରିୟଙ୍କା। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ପ୍ରିୟଙ୍କା ଶନିବାର ସ୍ପଷ୍ଟୀରକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ୟୁପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି କେବେ କହି ନଥିଲି।
ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ ବିବୃତ୍ତି ଦେଇ ପ୍ରିୟଙ୍କା କହିଛନ୍ତି ଯେ ୟୁପି ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ମୁଁ ମୁଖ୍ୟମନ୍ତ୍ରୀ ଚେହେରା ବୋଲି କେବେ କହି ନଥିଲି। ଆପଣମାନେ ବାରମ୍ବାର ସମାନ ପ୍ରଶ୍ନ ପଚାରୁଥିବାରୁ ମୁଁ ବିରକ୍ତି ହୋଇ କହିଦେଇଥିଲି । ପ୍ରିୟଙ୍କା କହିଛନ୍ତି ଯେ, ସାରା ଦେଶରେ ମହିଳାମାନେ ନେତୃତ୍ୱ ନିଅନ୍ତୁ ।ୟୁପିରୁ ଏହାର ଆରମ୍ଭ ହେଉ। ଏହି ମିଶନ ନେଇ ସେ ଉତ୍ତରପ୍ରଦେଶରେ ପ୍ରଚାର କରୁଛନ୍ତି। ଆଗାମୀ ଦିନରେ ଏହା ଭୋଟରେ ପ୍ରତିଫଳନ ହେବ ବୋଲି ପ୍ରିୟଙ୍କା କହିଛନ୍ତି ।
ଗତକାଲି କଂଗ୍ରେସ ପକ୍ଷରୁ ଆସନ୍ତା ନିର୍ବାଚନ ପାଇଁ ଦଳ ପକ୍ଷରୁ ଯୁବ ଇସ୍ତାହାର ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ୟୁପିରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ ହୋଇଥିଲା। ଜବାବରେ ପ୍ରିୟଙ୍କା କହିଥିଲେ କଂଗ୍ରେସ ଦଳ ପକ୍ଷରୁ ଆପଣ କୌଣସି ଚେହେରା ଦେଖିବାକୁ ପାଉଛନ୍ତି କି ? ସବୁଠି ମୋ ଚେହେରା ଦେଖାଯାଉଛି ପରା । ଆପଣ କଣ ଦେଖିପାରୁ ନାହାନ୍ତି କି କହି ପ୍ରଶ୍ନ କରିଥିଲେ ପ୍ରିୟଙ୍କା। ଏହି ବୟାନର ଦିନକ ପରେ ମତ ବଦଳାଇଛନ୍ତି ପ୍ରିୟଙ୍କା। ଏହି ଅବସରରେ ପ୍ରିୟଙ୍କା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଯୋଗୀଙ୍କ ‘୮୦ ପ୍ରତିଶତ ବନାମ ୨୦ ପ୍ରତିଶତ’ ବିବୃତ୍ତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ପ୍ରିୟଙ୍କା।
ପ୍ରିୟଙ୍କା କହିଛନ୍ତି ଯେ, ଯୋଗୀଙ୍କ ଭାଷାରେ ୮୦ ପ୍ରତିଶତ ବନାମ ୨୦ ପ୍ରତିଶତ। କିନ୍ତୁ ମୁଁ କହୁଛି ୯୯ ପ୍ରତିଶତ ବନାମ ୧ ପ୍ରତିଶତ। ସତ କଥା ହେଉଛି ଏ ଦେଶରେ କେବଳ ସରକାରଙ୍କ କିଛି ବନ୍ଧୁ ଏବଂ ବ୍ୟବସାୟୀ ଲାଭବାନ ହୋଇଛନ୍ତି। ଅନ୍ୟମାନେ କଷ୍ଟ ଏବଂ ଯନ୍ତ୍ରଣାରେ ଅଛନ୍ତି । ବେକାରୀ କେତେ ପ୍ରତିଶତ ସେ ବିଷୟରେ କାହିଁକି ପ୍ରଶ୍ନ ହେବ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି । ସେହିପରି ୟୁପିରେ କୌଣସି ବିକାଶ ହୋଇ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।