ନୂଆଦିଲ୍ଲୀ: ମହିଳାଙ୍କୁ ଇଙ୍ଗିତ କରି ଆପତ୍ତିଜନକ ବିଜ୍ଞାପନ କରିଥିବା ଏକ ପର୍ଫ୍ୟୁମ କମ୍ପାନୀ ବିବାଦ ଘେରକୁ ଆସିଛି। ସମ୍ପୃକ୍ତ କମ୍ପାନୀ ଏହି ବିଜ୍ଞାପନ ମାଧ୍ୟମରେ ‘ରେପ ସଂସ୍କୃତି’କୁ ପ୍ରେରିତ କରୁଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ମହିଳା କମିଶନର ସ୍ୱାତି ମାଲିୱାଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ନେବାକୁ ସେ ଚିଠିରେ ଦର୍ଶାଇଛନ୍ତି। ଏହି ବିବାଦୀୟ ବିଜ୍ଞାପନ ଘଟଣାକୁ ଦିଲ୍ଲୀ ମହିଳା କମିଶନର ନିଜ ତରଫରୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି। ସମ୍ପୃକ୍ତ କମ୍ପାନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହିପରି ଦିଲ୍ଲୀ ପୁଲିସକୁ ଏକ ନୋଟିସ ଜାରି କରି ଉକ୍ତ କମ୍ପାନୀ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜୁନ ୯ ତାରିଖ ସୁଦ୍ଧା ଦିଲ୍ଲୀ ପୁଲିସ ଠାରୁ ଜବାବ ତଲବ କରିଛନ୍ତି କମିଶନର।
କ’ଣ ଏହି ବିଜ୍ଞାପନ
ଏହି ବିଜ୍ଞାପନରେ ଜଣେ ଯୁବକ ଓ ଯୁବତୀ ଦମ୍ପତି ଭାବେ ଗୋଟିଏ ରୁମରେ ଏକ ବେଡ୍ରେ ବସିଛନ୍ତି। ସେହି ରୁମକୁ ଆଉ ୪ ଜଣ ଯୁବକ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ‘ଶଟ୍ ମାରା ଲଗତା ହେ’ କହୁଛନ୍ତି । ଅର୍ଥାତ ମୁଁ ଗୋଟିଏ ଶଟ ନେବାକୁ ଚାହୁଁଛି। ତେବେ ବେଡରେ ବସିଥିବା ଯୁବକ ଜଣକ ‘ହଁ ମାରା ନା’ ଅର୍ଥାତ ତୁମେ କରିପାରିବ ବୋଲି କହୁଛନ୍ତି। ଏହା ପରେ ପ୍ରଥମ ଯୁବକ ଜଣକ କହୁଛନ୍ତି ‘ଅବ୍ ହମାରୀ ବାରି’। ଅର୍ଥାତ ଏବେ ମୋ ପାଳି। ଏହା କହି ଯୁବକ ଜଣକ ସେହି ଯୁବତୀଙ୍କ ପାଖକୁ ଯାଉଛନ୍ତି। ଯେଉଁଥିରେ ଯୁବତୀ ଜଣକ ନିଜକୁ ଅସ୍ୱାଭାବିକ ମନେ କରୁଛନ୍ତି। ଏହା ପରେ ଯୁବକ ଜଣକ ସେଠାରେ ଥିବା ଏକ ବଡି ସ୍ପ୍ରେ ବଟଲକୁ ଉଠାଉଛନ୍ତି। ଯେଉଁ ବଟଲ ଉପରେ ‘ଶଟ୍’ ବୋଲି ଉଲ୍ଲେଖ ରହିଛି। ସମାନ ବ୍ରାଣ୍ଡର ଆଉ ଏକ ବିଜ୍ଞାପନରେ ସମାନ ଢଙ୍ଗରେ ଅଭିନୟ ପ୍ରଦର୍ଶିତ ହୋଇଛି। ଯେଉଁଥିରେ ୪ ଜଣ ଯୁବକ ଏକ ଷ୍ଟୋର ରୁମରେ ଅଛନ୍ତି। ସେଠାରେ ଜଣେ ଯୁବତୀ ଏକା ଅଛନ୍ତି ।
ପୂର୍ବ ଭଳି ସମାନ ଢଙ୍ଗରେ ୪ ଜଣ ଯୁବକ ଜଣେ ଯୁବତୀଙ୍କୁ ମନ୍ଦ ଉଦ୍ଦଶ୍ୟରେ ନଜର ପକାଉଛନ୍ତି। ସେଥିରେ ସେମାନେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରୁଛନ୍ତି। କହୁଛନ୍ତି ‘ହମ୍ ଚାର ଔର ୟେ ଏକ ! ଶଟ୍ କୌନ ଲେଗା।’ ଏଭଳି ଶୁଣି ଯୁବତୀ ଜଣକ ଡରି ଯାଉଛନ୍ତି। ପରେ ଜଣେ ଯୁବକ ଷ୍ଟୋର ରୁମ୍ରେ ଥିବା ଏକ ସ୍ପ୍ରେ ବଟଲକୁ ଉଠାଉଛନ୍ତି। ଯେଉଁଥିରେ ଶଟ୍ ବୋଲି ଉଲ୍ଲେଖ ରହିଛି। ଏହା ପରେ ଯୁବତୀ ଜଣକ ସ୍ୱାଭାବିକ ମନେ କରୁଛନ୍ତି। ଅତର କମ୍ପାନୀର ଏହି ଦି-ଅର୍ଥମୂଳକ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ହୋଇଛି। ଏମିତି ବିଜ୍ଞାପନ ମାଧ୍ୟମରେ ରେପ ସଂସ୍କୃତିକୁ ଉସକାଉଥିବା ଅଭିଯୋଗ ହୋଇଛି। ଉକ୍ତ ବିଜ୍ଞାପନକୁ ହଟାଇବା ସହ ସେହି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।