ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଗତ ଜୁନ୍ ୧୮ ତାରିଖରେ ନୂପୁର ଶର୍ମାଙ୍କ ବୟାନ୍ ରେକର୍ଡ଼ ହୋଇଥିବା ଦିଲ୍ଲୀ ପୁଲିସ କହିଛି। ନୂପୁର ଶର୍ମାଙ୍କ ବୟାନକୁ ନେଇ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବା ପରେ ଦିଲ୍ଲୀ ପୁଲିସ ଏହି ତଥ୍ୟ ଜାରି କରିଛି। ଦେଶରେ ବର୍ତ୍ତମାନ ସାମ୍ପ୍ରଦାୟିକ ଘଟଣା ପାଇଁ ନୂପୁର ଶର୍ମା ଦାୟୀ ବୋଲି ସୁପ୍ରିମକୋର୍ଟ କହିଥିଲେ। ନୂପୁର ଶର୍ମାଙ୍କ ବିରୋଧରେ ଏତଲା ରୁଜୁ ହେବା ପରେ ଦିଲ୍ଲୀ ପୁଲିସ ନୂପୁର ଶର୍ମାଙ୍କୁ ନୋଟିସ ଜାରି କରିଥିଲା।
ଧାରା ୪୧ (ଏ)ସିଆରପିସି ଅଧିନରେ ନୂପୁର ଶର୍ମାଙ୍କୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି । ଗତ ଜୁନ୍ ୧୮ ତାରିଖରେ ଦିଲ୍ଲୀ ପୁଲିସ ତାଙ୍କ ବୟାନ ରେକର୍ଡ଼ କରିଥିବା କହିଛି। ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ବିରୋଧରେ ଦେଶ ବ୍ୟାପି ବିଭିନ୍ନ ସ୍ଥାନରେ ଏତଲା ରୁଜୁ ହେବା ପରେ ଗତ ଜୁନ୍ ୮ତାରିଖରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନୂପୁର ଶର୍ମାଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି। ନୂପୁର ଟିଭିରେ ଦେଇଥିବା ଦାୟିତ୍ବହୀନ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି ଏବଂ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଛି। ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୂପୁର ହିଁ ଦାୟୀ।
ଯେଉଁଭଳି ଭାବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଥିବା ସବୁ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାପାଇଁ ସୁପ୍ରିମକୋର୍ଟରେ ନୂପୁର ଏକ ଆବେଦନ କରିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଏପରି ଆବେଦନ କରିଥିଲେ। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜେବି ପରଦିୱାଲାଙ୍କ ଖଣ୍ଡପୀଠ ନୂପୁରଙ୍କ ଆବେଦନ ଖାରଜ କରିଦେଇଛନ୍ତି। ନୂପୁର ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବାରୁ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ ଦେଇଛନ୍ତି। ପ୍ରଫେଟ ବିରୋଧୀ ଟିପ୍ପଣୀ ପାଇଁ ନୂପୁରଙ୍କ କ୍ଷମା ପ୍ରାର୍ଥନା ଏବଂ ଟିପ୍ପଣୀ ପ୍ରତ୍ୟାହାର ସଂକ୍ରାନ୍ତରେ ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ବହୁତ ବିଳମ୍ବରେ ତାଙ୍କ ଟିପ୍ପଣୀ ପ୍ରତ୍ୟାହାର କରିଥିଲେ । ବହୁତ ବିଳମ୍ବରେ ମଧ୍ୟ ସେ କ୍ଷମା ମାଗିଥିଲେ ଏବଂ ତାହା ମଧ୍ୟ ସର୍ତ୍ତ ଆଧାରିତ ଥିଲା। ଯଦି ତାଙ୍କ ଧାର୍ମିକ ଟିପ୍ପଣୀ କାହାକୁ କଷ୍ଟ ଦେଇଥାଏ ତେବେ ସେ କ୍ଷମା ମାଗୁଛନ୍ତି ବୋଲି କହିଥିଲେ।
ଖଣ୍ଡପୀଠ କହିଛନ୍ତି, ନୂପୁର ଶର୍ମା ତୁରନ୍ତ ଟିଭିକୁ ଆସି ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଦେଶରେ ଏବେ ଯାହା ଘଟୁଛି ସେଥିପାଇଁ ଉକ୍ତ ମହିଳା ହିଁ ଏକମାତ୍ର ଦାୟୀ। ନୂପୁରଙ୍କ ଟିପ୍ପଣୀ ପାଇଁ ଉଦୟପୁର ହତ୍ୟା ହୋଇଛି ବୋଲି ଜଷ୍ଟିସ ପରଦିୱାଲା କହିଛନ୍ତି। କୋର୍ଟ କହିଛନ୍ତି, ନୂପୁର ଶସ୍ତା ପ୍ରଚାର, ରାଜନୈତିକ ଏଜେଣ୍ଡା ପାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେହିପରି କୋର୍ଟ ମଧ୍ୟ ଦିଲ୍ଲୀ ପୁଲିସ ଉପରେ ବର୍ଷିଥିଲେ । ଉକ୍ତ ଘଟଣାରେ ତଦନ୍ତ କେତେ ବାଟ ଯାଇଛି ଏବଂ ଦିଲ୍ଲୀ ପୁଲିସ ଏଯାବତ୍ କ’ଣ କରୁଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, ତାଙ୍କ ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତି ଗିରଫ ହେଲେ କିନ୍ତୁ ଏକାଧିକ ଏତଲା ସତ୍ତ୍ୱେ ଦିଲ୍ଲୀ ପୁଲିସ ତାଙ୍କୁ କିଭଳି ଭାବେ ଏଯାବତ ଛୁଇଁନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।