ଏୟାର ଇଣ୍ଡିଆ, ନେହରୁ ସରକାର ଓ ଟାଟା ଗ୍ରୁପ୍‌: ୨.୮ କୋଟିରୁ ୧୮ ହଜାର କୋଟି

ନୂଆଦିଲ୍ଲୀ: ଦୀର୍ଘ ୬୮ ବର୍ଷର ବ୍ୟବଧାନ ପରେ ଟାଟା ଗ୍ରୁପ ପାଖକୁ ଫେରିଛି ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ। କେନ୍ଦ୍ର ସରକାର ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବା ସହ ଏହାର ନିଲାମ ଡାକିଥିଲେ। ନିଲାମରେ ଟାଟା ସନ୍ସ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ପାଇଛି।

ପ୍ରକୃତରେ ଏୟାର ଇଣ୍ଡିଆକୁ ୮୯ ବର୍ଷ ତଳେ ଟାଟା ଗ୍ରୁପ୍‌ ହିଁ ପ୍ରତିଷ୍ଠା କରିଥିଲା। ତେବେ ନେହରୁ ସରକାର ସମୟରେ ସରକାର ମାତ୍ର ୨.୮ କୋଟି ଟଙ୍କା ଦେଇ ଏୟାର ଇଣ୍ଡିଆର ଜାତୀୟକରଣ କରିଥିଲେ। ଏବେ ପୁଣି ଏୟାର ଇଣ୍ଡିଆର ଘରୋଇକରଣ ହୋଇଛି।

ଏୟାର ଇଣ୍ଡିଆର ଜନ୍ମ

୧୯୩୨ ମସିହାରେ ଜେଆରଡି ଟାଟା ଏୟାର ଇଣ୍ଡିଆର ପ୍ରତିଷ୍ଠା କରିଥିଲେ। ଅକ୍ଟୋବର ୧୫ରେ ଏୟାର ଇଣ୍ଡିଆକୁ ୮୯ ବର୍ଷ ପୂରିବ। ଏହି ଜନ୍ମବାର୍ଷିକୀର ମାତ୍ର କିଛି ଦିନ ପୂର୍ବରୁ ଟାଟା ଗ୍ରୁପ୍‌ ପୁଣି ଏୟାର ଇଣ୍ଡିଆର ମାଲିକାନସତ୍ତ୍ୱ ହାସଲ କରିଛି। ଟାଟା ପରିବାରରୁ ଜେଆରଡି ଟାଟା ଓ ରତନ ଟାଟା ଆସିଛନ୍ତି। ସେମାନେ ଟାଟାରୁ ଦୁଇଟି ପୃଥକ ପରିବାରର ଆସିଥିଲେ ମଧ୍ୟ ଜେଆରଡି ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଠ।

ଜେଆରଡିଙ୍କୁ ରତନ ଟାଟା ନିଜର ବାପା ଓ ଭାଇ ଭାବେ ବିବେଚନା କରନ୍ତି। ୧୯୫୩ ମସିହାରେ ନେହରୁ ସରକାର ଜାତୀୟକରଣ ଯୋଜନାରେ ଟାଟା ଠାରୁ ଏୟାର ଇଣ୍ଡିଆକୁ କିଣିଥିଲେ। ଟାଟା ଗ୍ରୁପକୁ ସରକାର ୨.୮ କୋଟି ଟଙ୍କା ଦେଇ ଏୟାର ଇଣ୍ଡିଆର ୧୦୦% ଶେୟାର ହାସଲ କରିଥିଲେ। ଏବେ ୧୮ ହଜାର କୋଟିରେ ଟାଟା ଏହାକୁ ପୁଣି ଦଖଲ କରିଛି।

ଏୟାର ଇଣ୍ଡିଆର ପ୍ରତିଷ୍ଠାତା ଜେଆରଡି ଟାଟା ତାଙ୍କ ପିଲାବେଳ ଫ୍ରାନ୍ସରେ ଅତିବାହିତ କରିଥିଲେ। ୧୯୦୭ରେ ସେ ପ୍ରଥମ ବ୍ୟକ୍ତିମାନେ ଅନ୍ତର୍ଜାତୀୟ ବିମାନରେ ଉଡ଼ାଣ କରିଥିଲେ। ସେତେବେଳେ ସେ ଗୋଟିଏ ମନୋପ୍ଲେନରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରିଥିଲେ।

୧୯୨୭ରେ ସେ ଆଣ୍ଟଲାଟିକରେ ଏକାକୀ ବିମାନ ଉଡ଼ାଇଥିବା ଚାର୍ଲେସ ଲିଣ୍ଡବର୍ଗଙ୍କ ଗୋଟିଏ ସ୍କେଚ ଆଙ୍କିଥିଲେ। ଏହି ସମୟରେ ହିଁ ଜେଆରଡି ଟାଟା ବିମାନ ଉଡ଼ାଇବାକୁ ପ୍ରେରଣା ପାଇଥିଲେ।

୧୯୨୯ରେ ବିମାନ ଉଡ଼ାଣ ପାଇଁ ସେ ମୁମ୍ବାଇରେ ଖୋଲିଥିବା ଫ୍ଲାଇଂ କ୍ଲବରେ ପଞ୍ଜୀକରଣ କରିଥିଲେ। ସେଠାରେ ବିମାନ ଉଡ଼ାଣର କୌଶଳ ଶିକ୍ଷାଲାଭ କରିଥିଲେ। ଏହାର ୩ ବର୍ଷ ପରେ ଅର୍ଥାତ ୧୯୩୨ରେ ଜେଆରଡି ଟାଟା ଆଭିଏସନ ସର୍ଭିସ ପ୍ରତିଷ୍ଠା କରିଥିଲେ। ଏଥିପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ସେହିବର୍ଷ ସେ ବିଧିବଦ୍ଧ ଭାବେ ଏୟାର ଇଣ୍ଡିଆ(ସେତେବେଳେ ଟାଟା ଏୟାର ମେଲ୍‌)ର ପ୍ରଥମ ବିମାନ ଉଡ଼ାଇଥିଲେ। ଏହା ଗୋଟିଏ କାର୍ଗୋ ବିମାନ ଥିଲା। ଉଡ଼ାଣ ଆରମ୍ଭର କିଛି ଦିନ ମଧ୍ୟରେ ଏଥିରୁ କମ୍ପାନୀ ଲାଭ ପାଇବାରେ ଲାଗିଲା। ୫ ବର୍ଷ ମଧ୍ୟରେ ଟାଟା ଏୟାର ମେଲର ଲାଭ ୧୯୩୩ରେ ୬୦ ହଜାର ଥିବା ବେଳେ ୧୯୩୭ ବେଳକୁ ୬ ଲକ୍ଷରେ ପହଞ୍ଚି ଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଟାଟା

ଟାଟା ୧୯୩୮ରେ କମ୍ପାନୀର ନାଁ ବଦଳାଇ ଟାଟା ଏୟାରଲାଇନ୍ସ କରିଦେଇଥିଲା। ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା ସେତେବେଳେ ବ୍ରିଟିଶ ସରକାର ଟାଟା ଏୟାର ଲାଇନ୍ସରର ସମସ୍ତ ବିମାନକୁ ନେଇ ଯାଇଥିଲେ। ଏହା ପୂର୍ବରୁ ଟାଟା ସହ ବିମାନ ସେବା ବ୍ୟବସାୟକୁ ନେଇ ବ୍ରିଟିଶ ସରକାରର ତିକ୍ତତା ଲାଗି ରହିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଟାଟା ସବୁ ବିମାନର ମାଲିକାନା ହାସଲ କରିଥିଲା। ୧୯୪୬ରେ ଜେଆରଡି ଟାଟା ଏହାର ନାଁକୁ ବଦଳାଇ ଏୟାର ଇଣ୍ଡିଆ ଭାବେ ନାମିତ କରିଥିଲେ।

ଟାଟା-ସରକାରଙ୍କ ମଧ୍ୟରେ ମିଶ୍ରଣ

ଦେଶ ସ୍ୱାଧୀନ ହେବା ପରେ ଟାଟା ସହ ସରକାରଙ୍କ ସମ୍ପର୍କ ବଦଳି ଯାଇଥିଲା। ୧୯୪୭ ମସିହା ଅକ୍ଟୋବର ମାସରେ ଟାଟା ଗ୍ରୁପ୍ ଭାରତ ସରକାରଙ୍କୁ ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ପ୍ରସ୍ତାବ ଦେଇଥିଲା। ସରକାର ଏୟାର ଇଣ୍ଡିଆର ୪୯% ଶେୟାର ରଖିବା ସହ ଅତିରକ୍ତ ୨ % ଶେୟାରର ମାଲିକାନାସତ୍ତ୍ୱ ହାସଲ କରିଥିଲେ। ଟାଟା ୨୫% ଶେୟାର ନିଜ ପାଖରେ ରଖିଥିବା ବେଳେ ବାକି ଶେୟାର ସାଧାରଣ ଲୋକଙ୍କର ରହିଥିଲା।

ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ହୋଇଥିବା ଆବେଦନକୁ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ନେହରୁ ସରକାର ଅନୁମତି ଦେଇଥିଲେ। ଏହାର ଗୋଟିଏ ବର୍ଷ ପରେ ଏୟାର ଇଣ୍ଡିଆ ମୁମ୍ବାଇରୁ ଲଣ୍ଡନକୁ ଉଡ଼ାଣ କ୍ଷେତ୍ରରେ ଡେବ୍ୟୁ କରିଥିଲା। ଏହି ବିମାନରେ ଐତିହାସିକ ମହାରାଜା ମାସ୍କଟର ବ୍ୟବହାର କରାଯାଇଥିଲା।

ଜାତୀୟକରଣ ଓ ବିମାନ ଦୁର୍ଘଟଣା

୧୯୫୩ ମସିହାରେ ଜେଆରଡି ଟାଟାଙ୍କୁ ଚକିତ କରି ନେହରୁ ସରକାର ୨.୮ କୋଟି ଟଙ୍କାରେ ଏୟାର ଇଣ୍ଡିଆର ଶେୟାର ଟାଟା ଗ୍ରୁପଠାରୁ କିଣି ଦେଇଥିଲେ। ଆଉ ୩ କୋଟି ଟଙ୍କାରେ ଅନ୍ୟ ଘରୋଇ ଏୟାରଲାଇନ୍ସକୁ ମଧ୍ୟ କିଣି ଜାତୀୟକରଣ କାର୍ଯ୍ୟକ୍ରମ ଶେଷ କରିଥିଲେ। ଏୟାର ଇଣ୍ଡିଆର ଜାତୀୟକରଣ ପରେ ମଧ୍ୟ ଜେଆରଡି ଟାଟା ଦୀର୍ଘ ୨୫ ବର୍ଷ ଧରି ଏହାର ଅଧ୍ୟକ୍ଷ ରହିଥିଲେ। ୧୯୭୮ରେ ହିଁ ତାଙ୍କୁ ଏହି ପଦରୁ ବିଦା କରାଯାଇଥିଲା।

୧୯୭୮ ମସିହା ଜାନୁଆରୀ ୧ରେ ଏୟାର ଇଣ୍ଡିଆର ପ୍ରଥମ ବୋଇଂ ୭୪୭ ଦୁର୍ଘଟଣାଗ୍ରସ୍ତ ହୋଇ ଆରବ ସାଗରରେ ଖସି ପଡ଼ିଥିଲେ। ଏଥିରେ ସମସ୍ତ ୨୧୩ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ଯାଇଥିଲା। ଦୁର୍ଘଟଣାର ଗୋଟିଏ ମାସ ପରେ ମୋରାରଜି ଦେସାଇ ସରକାର ଜେଆରଡି ଟାଟାଙ୍କୁ ଅଧ୍ୟକ୍ଷ ପଦରୁ ବାହାର କରିଦେଇଥିଲେ।

୧୯୮୦ରେ ଇନ୍ଦିରା ଗାନ୍ଧି କ୍ଷମତାକୁ ଆସିବା ପରେ ଜେଆରଡି ଟାଟା ଏୟାର ଇଣ୍ଡିଆ ବୋର୍ଡ ଅଫ ଡିରେକ୍ଟର୍ସକୁ ଫେରିଥିଲେ। ସେ ଏଠାରେ ୧୯୮୬ ପର୍ଯ୍ୟନ୍ତ ରହିଥିଲେ। ଏହାପରେ ରାଜୀବ ଗାନ୍ଧି ସରକାର ରତନ ଟାଟାଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ।

ରତନ ଟାଟା ୧୯୮୯ ଯାଏ ଏହି ପଦରେ ରହିଥିଲେ। ସରକାର ଏୟାର ଇଣ୍ଡିଆକୁ ପରିଚାଳନା କରୁଥିବା ବେଳେ ଋଣ ଭାର ବଢ଼ି ଚାଲିଥିଲା। ଶେଷରେ ସରକାର ଏହାକୁ ପୁଣି ଟାଟାକୁ ବିକ୍ରି କରିଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।