ହାଇଦ୍ରାବାଦରେ: ତେଲେଙ୍ଗାନାରେ ଦେଖିବାକୁ ମିଳିଛି କଟକ ଟ୍ରାଜେଡି। ଏଠାରେ ଜଣେ ଯୁବକ ବାଇକ୍ରେ ଯାଉଥିବା ବେଳେ ମାଞ୍ଜାସୂତାରେ ଛନ୍ଦି ହୋଇ ହାରିଛନ୍ତି ଜୀବନ । ଗତ ରବିବାର ଏହି ଅଘଟଣ ଘଟିଛି। ଏକ ଗଛରୁ ମାଞ୍ଜା ସୂତା ଝୁଲୁଥିବା ବେଳେ ଯୁବକ ଜଣକ ଜାଣିପାରି ନ ଥିଲେ । ଫଳରେ ତାଙ୍କ ବେକ କଟି ଯୁବକଜଣଙ୍କର ମୃତ୍ୟୁ ଘଟିଛି। ତେଲେଙ୍ଗାନାର ମଞ୍ଚେରିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ତେଲେଙ୍ଗାରନା ମଞ୍ଚେରିଆଲ ଅଞ୍ଚଳର ଭିମାଇହ। ତାଙ୍କୁ ୩୯ ବର୍ଷ ହୋଇଥିବା ବେଳେ ସେ ଶ୍ରମିକ ଭାବେ କାମ କରନ୍ତି।
ଭିମାଇହ ପତ୍ନୀ ସାରଦାଙ୍କ ସହ ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସାରଦା କହିଛନ୍ତି ଯେ, କାମ କରୁଥିଲା ବେଳେ ତାଙ୍କ ସ୍ୱାମୀଙ୍କର ଅଙ୍ଗୁଳି କଟିଯାଇଥିଲା। ତେଣୁ ସେମାନେ ପ୍ରାଥମିକ ଚିକିତ୍ସା ପାଇଁ ଶନିବାର ଘର ପାଖ ମେଡିକାଲ ଯାଇଥିଲେ। ସେଠାରୁ ସେମାନେ ଫେରୁଥିଲା ବେଳେ ହଠାତ୍ ସ୍ୱାମୀ ଅଟକି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ବେକରେ ଏକ ସୂତା ଲାଗିଥିବା ଦେଖାଯାଇଥିଲା। ସେଠାରେ ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ।
ତାଙ୍କ ବେକରୁ ପ୍ରବଳ ରକ୍ତ ବୋହିଥିଲା। ତେବେ ସାରଦା ଚେଷ୍ଟା କରି ମାଞ୍ଜା ସୂତାଟିକୁ ବାହାର କରିଦେଇଥିଲେ। ସେତେବେଳକୁ ବହୁ ପରିମାଣରେ ରକ୍ତସ୍ରାବ ହୋଇସାରିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତ ଡିସେମ୍ବର ୨୭ରେ କଟକରେ ମଧ୍ୟ ସମାନ ଘଟଣା ଘଟିଥିଲା। ଜୟନ୍ତ ସାମଲ ନାମକ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ କଟକକୁ ଯାଉଥିଲେ। ଘରୁ କିଛି ବାଟ ଯିବା ପରେ ପୀରବଜାରଠାରେ ଗୁଡି ଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ମାଞ୍ଜା ସୂତା ତାଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।