ନୂଆଦିଲ୍ଲୀ: ସୁରକ୍ଷା ବ୍ୟବସ୍ଥାରେ ଢିଲାକାରଣରୁ ପଞ୍ଜାବ ଗସ୍ତର ଅଧାରୁ ଫେରି ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ବିରକ୍ତି ପ୍ରକାଶ କରିଛନ୍ତି। ଭଟିଣ୍ଡା ଏୟାରପୋର୍ଟରେ ପହଞ୍ଚିବା ପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେଠାରେ ଉପସ୍ଥିତ ଥିବା ରାଜ୍ୟ ଅଧିକାରଙ୍କୁ ମୋଦି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅସନ୍ତୋଷବ୍ୟକ୍ତ କରିଥିବା ଜଣାପଡ଼ିଛି ।
ଅଭିମାନ ଛଳରେ ମୋଦି କହିଥିଲେ ଯେ, ‘ମୁଁ ଭାଟିଣ୍ଡା ବିମାନ ବନ୍ଦରକୁ ଜୀବିତ ଅବସ୍ଥାରେ ଫେରି ଆସିଛି। ତେଣୁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଦେବ।” ଆଜି ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ଯାଇଥିବା ବେଳେ ସେଠାରେ ତାଙ୍କର ସୁରକ୍ଷାରେ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ପଞ୍ଜାବରେ ଏକ ଫ୍ଲାଇ ଓଭରରେ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ସେଠାରେ ଏକ କାର୍ଯ୍ୟକ୍ରମକୁ ବାତିଲ କରି ଫେରିଯାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଘଟଣାକୁ ବଡ ଧରଣର ସୁରକ୍ଷାରେ ତ୍ରୁଟି ବୋଲି କହିବା ସହ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମଗାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ଆଜି ପଞ୍ଜାବର ଫିରୋଜପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ପ୍ରଧାନମନ୍ତ୍ରୀ ହୁସେନ୍ଓ୍ୱାଲାସ୍ଥିତ ଜାତୀୟ ସହିଦ ସ୍ମାରକ ସ୍ଥଳଠାରୁ ୩୦କିଲୋମିଟର ଦୂରରେ ଏକ ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀଙ୍କ କାର୍ କେଡ୍ ପହଞ୍ଚିଥିଲା ହେଲେ ଏହି ସମୟରେ ଜଣାପଡିଥିଲା, ଯେ ରାସ୍ତାକୁ ବିକ୍ଷୋଭକାରୀମାନେ ଅବରୋଧ କରି ରଖିଛନ୍ତି। ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଅଟକି ଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହା ବଡ ଧରଣର ତ୍ରୁଟି ବୋଲି ଗୃହ ମନ୍ତ୍ରଣାଳୟ କହିଛି । ଏହି ତ୍ରୁଟି ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଭଟିଣ୍ଡା ଏୟାରପୋର୍ଟକୁ ଫେରି ଯାଇଥିଲା ।
ସେପଟେ ଫିରୋଜପୁରରେ ହୋଇଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ନେଇ ସେଠାରେ ଉପସ୍ଥିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟା ସୂଚନା ଦେଇଛନ୍ତି। ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛ୍ତି, ପଞ୍ଜାବ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।