ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସୋମବାର ରାଜ୍ୟ ବିଜେପି କମିଟିର ନିର୍ବାଚନୀ ବୈଠକ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂ, ୟୁପି ବିଜେପି ଦାୟିତ୍ୱରେ ଥିବା ରାଧାମହୋନ ସିଂଙ୍କ ସହ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ । ବୈଠକ ପରେ ରାଧା ମୋହନ ସିଂଙ୍କୁ କରୋନା ପଜିଟିଭ ହୋଇଥିବା ଜରାପଡ଼ିଛି। ତେବେ ବୈଠକ ପରେ ସ୍ୱତନ୍ତ୍ର ଦେବ ସିଂ ଘର ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ । ପ୍ରଚାର ସମୟରେ ସେ ମୁହଁରେ ମାସ୍କ ଲଗାଇବା ଆବଶ୍ୟକ ମନେ କରିନଥିଲେ । ଏମିତିକି ସେ ବିନା ମାସ୍କରେ ଭୋଟରଙ୍କୁ ଭେଟୁଥିବା ନଜରକୁ ଆସିଛି।
ୟୁପି ବିଜେପି ଦାୟିତ୍ୱରେ ଥିବା ରାଧା ମୋହନ ସିଂ ଟ୍ୱିଟ୍ କରି ଲେଖିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ପରେ ମୁଁ କୋଭିଡ୍ ପରୀକ୍ଷା କରିଛି। ରିପୋର୍ଟଟି ପଜିଟିଭ ଆସିଛି । ମୁଁ ନିଜକୁ ଆସୋଲେସନରେ ରଖିଛି। ଖୁବ୍ ଶୀଘ୍ର ଭଲ ହୋଇଯିବି ବୋଲି ଅନୁଭବ କରୁଛି। ଯେଉଁମାନେ ଗତ କିଛି ଦିନ ମୋ ସହିତ ଯୋଗାଯୋଗ ଆସିଛନ୍ତି ସେମାନେ ନିଜେ ପରୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପଟେ ସେହି ବୈଠକରେ ବସିଥିବା ସ୍ୱତନ୍ତ୍ର ଦେବ ସିଂ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି।
ଯାହାକୁ ନେଇ ପ୍ରଶ୍ନ ଉଠିଛି। କୋଭିଡରେ ଆକ୍ରାନ୍ତ ହୋଇଥିବା ନେତାଙ୍କ ସହ କଣ୍ଟାକ୍ଟରେ ଆସିଥିଲେ ମଧ୍ୟ ସେ କେମିତି ଲୋକଙ୍କ ପାଖକୁ ଯାଇ ପ୍ରଚାର କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି ଯେ, ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ୫ଜଣଙ୍କ ସହ ଘର ବୁଲି ଲୋକଙ୍କୁ ସରକାରଙ୍କ ସଫଳ ଯୋଜନା ବିଷୟରେ ବୁଝଉଛୁ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ ବୋଲି ସେ କହିଛନ୍ତି। ଏହାରିଭିତରେ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୩୪ଟି ନୂତନ ମାମଲା ସାମ୍ନାକୁ ଆସିଛି। ଏଥିସହ ୪ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ରାଜ୍ୟରେ ୩୩,୯୪ଋ ଜଣ ରୋଗୀ ଚିକିତ୍ସିତ ହାଉଚନ୍ତି। ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ସହିତ ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।