ନୂଆଦିଲ୍ଲୀ: କିଛି ମାସର ଅପେକ୍ଷା ପରେ ଦେଶର ସବୁଠାରୁ ଓଜନର ସ୍ୟାଟେଲାଇଟ୍ ଜିସ୍ୟାଟ୍-୧୧ର ସଫଳ ଉନ୍ମୋଚନ ସମ୍ଭବ ହୋଇପାରିଛି। ଫ୍ରେଞ୍ଚ ଗୁଏନାରେ ଥିବା ୟୁରୋପୀୟ ସ୍ପେଶ୍ପୋର୍ଟରୁ ଭୋର ୨.୦୭ ସମୟରେ ଏହି ଇସ୍ରୋ ପ୍ରସ୍ତୁତ ସ୍ୟାଟେଲାଇଟ୍ର ଉତ୍କ୍ଷେପଣ କରାଯାଇଛି। ଏହାର ଓଜନ ୫,୮୫୪ କିଲୋଗ୍ରାମ୍ ରହିଛି।
ଏରିଆନ୍ସ୍ପେଶ୍ର ଏରିଆନ୍-୫ ରକେଟ୍ ସହାୟତାରେ ଏହାର ଉତ୍କ୍ଷେପଣ କରାଯାଇଛି ଏବଂ ଏହାର ବୈଶିଷ୍ଟ୍ୟ ରହିଛି ଯୋଗାଯୋଗ। ଏହା ସହିତ ଦକ୍ଷିଣ କୋରିଆର ଏକ ଜିଓ ସ୍ୟାଟେଲାଇଟ୍ ମଧ୍ୟ ମହାକାଶରେ ଅବସ୍ଥାପିତ ହେବା ପାଇଁ ପଠାଯାଇଛି।
ଉଡ଼ାଣ ଭରିବାର ୨୯ ମିନିଟ୍ ପରେ ଜିସ୍ୟାଟ୍-୧୧ ରକେଟ୍ଠାରୁ ଅଲଗା ହୋଇ ଜିଓ-ଟ୍ରାନ୍ସଫର କକ୍ଷପଥରେ ସ୍ଥାନ ପାଇଥିଲେ। ମହାକାଶରେ କୌଣସି ସାମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହାର ୪ ମିନିଟ୍ ପରେ ଯାଇ କୋରିଆ ସ୍ୟାଟେଲାଇଟ୍ ରକେଟ୍ରୁ ଅଲଗା ହୋଇଥିଲା।
ଜିସ୍ୟାଟ୍-୧୧ରେ ୪୦ଟି ଟ୍ରାନ୍ସପଣ୍ଡର ବା ବେତାର ବର୍ତ୍ତା ପ୍ରେରଣକାରୀ ଯନ୍ତ୍ର ରହିଛି। ଏହା ସେକେଣ୍ଡ ପ୍ରତି ୧୪ ଜିବି ପର୍ଯ୍ୟନ୍ତ ସ୍ପିଡ୍ରେ ‘ହାଇ ବ୍ୟାଣ୍ଡୱିଥ୍ କନେକ୍ଟିଭିଟି’ ପ୍ରଦାନ କରିବ। ଏହି ସ୍ୟାଟେଲାଇଟ୍ର ଆୟୁ ୧୫ ବର୍ଷଠାରୁ ଅଧିକ ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।