ଶ୍ରୀନଗର: ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତକାଲି ରାଜ୍ୟର ରାଜନୀତିକ ଦଳର ପ୍ରତିନିଧିଙ୍କୁ ଭେଟି ବୈଠକ କରିଥିଲେ। ଜମ୍ମୁ କଶ୍ମୀରକୁ ନେଇ ଯେଉଁ ଗୁଜବ ପ୍ରଚାର କରାଯାଉଛି ସେଥିରୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେବା ସହିତ ନିଜ ସମର୍ଥକଙ୍କୁ ଶାନ୍ତ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଅମରନାଥ ଯାତ୍ରା ବାତିଲ୍ ହେବା ପଛର କାରଣକୁ ଅନ୍ୟ ଏକ ପ୍ରସଙ୍ଗ ସହ ଯୋଡ଼ି ପ୍ରଚାର କରାଯାଉଛି। ଯାହା ଅଯଥାରେ ଭୟର ବାତାବରଣ ସୃଷ୍ଟି କରୁଛି।
ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି, ଜମ୍ମୁ କଶ୍ମୀର ପିପୁଲ୍ସ ମୁଭମେଣ୍ଟର ପ୍ରମୁଖ ଶାହ ଫୈଜଲ୍ ଏବଂ ପିପଲ୍ସ କନଫରେନ୍ସର ନେତା ସଜ୍ଜାଦ ଲୋନ ଏବଂ ଇମ୍ରାନ ରଜା ଅନସାରୀଙ୍କ ଏକ ‘ପ୍ରତିନିଧି ମଣ୍ଡଳ’ ଗତକାଲି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ରାଜଭବନ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ‘ପ୍ରତିନିଧି ମଣ୍ଡଳ’ ସରକାର ଦ୍ୱାରା ଜାରି ହୋଇଥିବା ପରାମର୍ଶ ବାବଦରେ ଆଲୋଚନା କରିବା ସହିତ କଶ୍ମୀରରେ ଗତକାଲି ଘଟିଥିବା ଘଟଣାକ୍ରମ ଉପରେ ଆଲୋଚନା ହୋଇଛି। ଗୁଇନ୍ଦା ତଥ୍ୟ ଆଧାରରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଥିବାରୁ ସରକାର ଅମରନାଥ ଯାତ୍ରୀଙ୍କୁ ଫେରିବା ପାଇଁ କହିଛନ୍ତି।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ସପ୍ତାହକ ମଧ୍ୟରେ ୩୮ ହଜାର ଯବାନ ନିଯୁକ୍ତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନଜରରେ ରଖି ଘାଟି, କଶ୍ମୀରର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଭଳି ସ୍ଥିତିରେ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିବା ସମ୍ୱିଧାନର ୩୫-ଏ ଧାରାକୁ ରଦ୍ଦ କରିବା ପାଇଁ ଏତେ ସଂଖ୍ୟାରେ ସୁରକ୍ଷା ବଳ ନିୟୋଜିତ କରାଯାଉଛି ବୋଲି କଶ୍ମୀରରେ ପ୍ରଚାର ହେଉଛି। ଏହା କେବଳ ଏକ ଗୁଜବ ବୋଲି ଜମ୍ମୁ କଶ୍ମୀର ରାଜ୍ୟପାଳ କହିଛନ୍ତି। ନିକଟରେ ରାଜ୍ୟପାଳ ଶ୍ରୀ ମାଲିକ କହିଥିଲେ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଉଥିବା ସମ୍ୱିଧାନର ୩୫-ଏ ଧାରା ହଟାଇବା ପାଇଁ ଏବେ କୌଣସି ସେମିତି ଯୋଜନା ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।