ମୁମ୍ବାଇ: ଯାହା ଆଶା କରାଯାଉଥିଲା ଠିକ ସେଇଆ ହୋଇଛି। ଜୁନ୍ ମାସରେ କରୋନା ଭାରତରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦିଲ୍ଲୀଠାରୁ ଆରମ୍ଭ କରି ମହାରାଷ୍ଟ୍ର ଓ ଗୁଜରାଟରେ ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ ସାମ୍ନାକୁ ଆସିଛି।
ଚାଇନାକୁ ଅତିକ୍ରମ କରିସାରିଥିବା ମହାରାଷ୍ଟ୍ରରେ ପ୍ରଥମଥର ପାଇଁ ଆଜି ୩ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଦିଲ୍ଲୀରେ ୧୫୦୧ ଓ ଗୁଜରାଟରେ ୫୧୦ ଜଣ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶର ସ୍ଥିତି କରୋନା ଯୋଗୁ ସାଂଘାତିକ ହେବାର ଆଶଙ୍କା ଧୀରେଧୀରେ ଦୂଢ଼ୀଭୂତ ହେବାରେ ଲାଗିଛି।
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ରେକର୍ଡ ୩୨୫୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ପ୍ରଥମଥର ପାଇଁ ୧୪୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୦୪୧ରେ ପହଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା ୩,୪୩୮କୁ ବୃଦ୍ଧି ପାଇଛି। ୧୮୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୪,୫୧୭ ରହିଛି। ଏବେ ବିଭିନ୍ନ ହସ୍ପିଟାଲରେ ୪୬,୦୭୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ମୁମ୍ବାଇରେ ମଧ୍ୟ କରୋନା ଆଜି ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ ନେଇଛି। ଗୋଟିଏ ଦିନରେ ୯୭ ଜଣ କରୋନା ଯୋଗୁ ପ୍ରାଣ ହରାଇଥିବା ବେଳେ ୧୫୬୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨,୬୬୭ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୧୮୫୭କୁ ବୃଦ୍ଧି ପାଇଛି।
ଦିଲ୍ଲୀ କଥା ବିଚାରକୁ ନେଲେ ଏଠାରେ ମଧ୍ୟ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ୨୪ ଘଣ୍ଟା ମଧ୍ୟରେ ୧୫୦୧ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪୮ ଜଣ ପ୍ରାଣ ହରାଇଛନ୍ତି। ଏବେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨,୮୧୦ ରହିଛି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୮୪କୁ ବୃଦ୍ଧି ପାଇଛି। ଆଜି ୩୮୪ ଜଣ ସୁସ୍ଥ ହେବାରେ ଆକ୍ଟିଭ କେସ ସଂଖ୍ୟା ୧୯,୫୮୧ ରହିଛି।
ଗୁଜରାଟରେ ୨୪ ଘଣ୍ଟାରେ ୫୧୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ୩୦ ଜଣ ସୁସ୍ଥ ହୋଇଥିବା ବେଳେ ୩୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧,୫୫୪ ଓ ମୃତକଙ୍କ ସଂଖ୍ୟା ୧୩୪୭ ରହିଛି। ଏଯାଏ ମୋଟ ୧୪, ୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।