କୋଲକାତା: ପଶ୍ଚିମବଙ୍ଗରେ ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ଯେଉଁ ସବୁ ଅଞ୍ଚଳକୁ ଗ୍ରୀନ ଜୋନ ଭାବେ ଚିହ୍ନଟ କରାଯାଇଛି, ସେଠାରେ ସବୁ କିଛି ସ୍ୱାଭାବିକ ଭାବେ ଚାଲିପାରିବ ବୋଲି ସେ କହିଛନ୍ତି।
ଏହି ଅଞ୍ଚଳରେ ଚା’ ଠାରୁ ପାନ ଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କୋଭିଡ-୧୯ ଲକଡାଉନ ପାଳନ କରିବାକୁ ଆମେ କେନ୍ଦ୍ର ଠାରୁ ସ୍ପଷ୍ଟ ନିର୍ଦ୍ଦେଶ ପାଇଛି। ତେଣୁ ମୁଁ ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରୁଛି।
ଆମ ବିଶେଷଜ୍ଞମାନେ ମଧ୍ୟ ମେ’ ଶେଷ ସପ୍ତାହ ଯାଏ ସମସ୍ତଙ୍କୁ ଆଲର୍ଟ ରହିବାକୁ କହିଛନ୍ତି। ନୂଆ ଗାଇଡଲାଇନ ଅନୁଯାୟୀ, ଷ୍ଟେସନାରୀ, ରଙ୍ଗ ଦୋକାନ, ଇଲେକଟ୍ରୋନିକ୍ସ, ହାର୍ଡୱାର, ମୋବାଇଲ, ଲଣ୍ଡ୍ରି, ଚା’ ଓ ପାନ ଦୋକାନଗୁଡ଼ିକ ଗ୍ରୀନ ଜୋନରେ ଖୋଲି ପାରିବ।
ମେ’ ୧ରୁ ଏହା କାର୍ଯ୍ୟକାରୀ ହେବ। ତେବେ ଦୋକାନ ଗୁଡ଼ିକ ଖୋଲିଲେ ମଧ୍ୟ ଏଠାରେ କୌଣସି ପ୍ରକାରର ଖଟି ହୋଇପାରିବ ନାହିଁ। ସେହିପରି ସମସ୍ତ ପ୍ରକାରର କରୋନା କଟକଣାକୁ ଦୃଷ୍ଟିରେ ରଖି ଛୋଟ ଦୋକାନ, ଫ୍ୟାକ୍ଟ୍ରି ଓ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯାଇ ପାରିବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।