କାଠମାଣ୍ଡୁ: ଦୁଇ ସପ୍ତାହର ବ୍ୟବଧାନ ପରେ ଗତକାଲି ନେପାଳରେ ହୋଇଥିବା ଆଉ ଏକ ବଡ଼ ଭୂକଂପରେ ମୃତକଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ସେହିପରି ୧୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ଦେଇଛି ନେପାଳ ଗୃହ ମନ୍ତ୍ରାଳୟ।
ଏଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଆମେରିକାର ଏକ ହେଲିକ୍ପଟର ନିଖୋଜ ହୋଇଯାଇଛି। ଏହାକୁ ଖୋଜିବା ପାଇଁ ଆମେରିକୀୟ ଅଧିକାରୀମାନେ ଲାଗିପଡ଼ିଛନ୍ତି।
ଏପ୍ରିଲ ୨୫ ତାରିଖର ଭୟାବହ ଭୂକଂପର ଦୁଇ ସପ୍ତାହ ପରେ ଗତକାଲି ନେପାଳରେ ପୁଣି ଉଚ୍ଚଶକ୍ତି ସଂପନ୍ନ ଭୂକଂପ ଅନୁଭୁତ ହୋଇଥିଲା। ଗୋଟିଏ ବଡ଼ ଭୂକଂପ ପରେ ଆହୁରି ୫ଟି ପଶ୍ଚାତ ଭୂକଂପ ଝଟକା ଲାଗିଥିଲା।
ଦିନ ୧୨ଟା ୩୫ରୁ ୧ଟା ୫୫ ମଧ୍ୟରେ ୬ଟି ଭୂକଂପ ଝଟକା ଅନୁଭୁତ ହୋଇସାରିଥିଲା। ପ୍ରଥମ ଝଟକ୍ ଅନୁଭୁତ ହୋଇଥିଲା ଦିନ ୧୨ଟା ୩୫ ମିନିଟରେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୩। କାଠମାଣ୍ଡୁଠାରୁ ୮୨ କିଲୋମିଟରର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ। ଆଉ ଏହା ଥିଲା ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଭୂକଂପ ପରେ ସବୁଠୁ ବଡ଼ ଝଟକା। ଗତ ମାସରେ ହୋଇଥିବା ସେହି ବିନାଶକରୀ ଭୂକଂପର ତୀବ୍ରତା ଥିଲା ୭.୯।
୭.୩ ତୀବ୍ରତା ବିଶିଷ୍ଟ ଭୂକଂପ ଝଟକାର ପ୍ରାୟ ଏକ ଘଣ୍ଟା ବ୍ୟବଧାନରେ ନେପାଳରେ ଆହୁରି ୫ଟି ପଶ୍ଚାତ ଝଟକା ଅନୁଭୁତ ହୋଇଥିଲା। ଦ୍ୱିତୀୟ ଝଟକା ଅନୁଭୁତ ହୋଇଥିଲା ୧୨ଟା ୪୭ ମିନିଟରେ। ଏହାର ତୀବ୍ରତା ଥିଲା ୫.୬। ଏହା ପରେ ତୃତୀୟ ଝଟକା ଅନୁଭୁତ ହୋଇଥିଲା ୧ଟା ୬ ମିନିଟରେ। ଏହାର ତୀବ୍ରତା ଥିଲା ୬.୩। ଚତୁର୍ଥ ଝଟକା ୧ଟା ୩୬ ମିନିଟରେ ଅନୁଭୁତ ହୋଇଥିଲା ଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫। ଏହା ପରେ ୧ଟା ୪୪ ଓ ୧ଟା ୫୫ରେ ପୁଣି ଆଉ ଦୁଇଟି ଭୂକଂପ ଝଟକା ଅନୁଭୁତ ହୋଇଥିଲା।
ଆଫଗାନିସ୍ତାନ ଓ ଚୀନରେ ମଧ୍ୟ ଭୂକଂପ ଅନୁଭୁତ ହୋଇଛି। ଆଫଗାନିସ୍ତାନରେ ଏହାର ତୀବ୍ରତା ୬.୯ ଥିବା ବେଳେ ଚୀନର ଝାମରେ ଏହାର ତୀବ୍ରତା ଥିଲା ୭.୪।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।