ନୂଆଦିଲ୍ଲୀ: ଫାଶୀ ତାରିଖ ନେଇ ଡେଥ୍ ଓ୍ୱାରେଣ୍ଟ ଜାରି ହେବା ପରେ ନିର୍ଭୟା ମାମଲାର ଦୋଷୀଙ୍କ ହାଲତ ଏବେ ଶୁଖିଯାଇଛି। ମୃତ୍ୟୁ ଭୟରେ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ହିଂସ୍ର ହୋଇଯାଇଥିବା ବେଳେ ଆଉ ଜଣେ ଗୁମ୍ ହୋଇ ବସିଛି। ଏହାରି ଭିତରେ ଦୋଷୀ ମୁକେଶ ସିଂହ ତାର ମାଙ୍କୁ ଭେଟିଛି।
ମୁକେଶ ନିଜ ମା’କୁ ଭେଟିବାକୁ ଯାଇ ଭାବ ବିହ୍ୱୋଳ ହୋଇଯାଇଥିଲା। ଏମିତିକି ମା’କୁ ଧରି କାନ୍ଦିବାରେ ଲାଗିଥିଲା। ହେଲେ ଏହି ସମୟରେ ମୁକେଶର ମା’ ଦୟା ପ୍ରାର୍ଥନା ଏବଂ କ୍ୟୁରେଟିଭି ଆବେଦନ ଉପରେ ଭରସା ରଖିବାକୁ ଆଶ୍ୱସନା ଦେବାରୁ ମୁକେଶ କାନ୍ଦିବା ବନ୍ଦ କରିଥିଲା ବୋଲି ଜଣାପଡ଼ିଛି। ମା’ ସହ କଥା ହେଉଥିବା ବେଳେ ନିଜ ବାପା ଏବଂ ଭାଇ ବାବଦରେ ପଚାରି ବୁଝିଥିଲା ମୁକେଶ।
ତେବେ ଜେଲ୍ ଅଧିକାରୀ କହିଛନ୍ତି, ଏହା ମୁକେଶର ନିଜ ପରିବାର ସହ ଶେଷ ଦେଖା ସାକ୍ଷାତ ନଥିଲା। ପ୍ରତି ସପ୍ତାହରେ ପରିବାର ଲୋକଙ୍କ ସହ ୨ ଥର ଦେଖା କରିବା ପାଇଁ ଏହି ୪ ଦୋଷୀଙ୍କୁ ଛଡ଼ାଯାଉଛି। ଫାଶୀ ପୂର୍ବରୁ କେବେ ଶେଷ ସାକ୍ଷାତ ହେବ ସେ ବାବଦରେ ଦୋଷୀଙ୍କ ପରିବାର ଲୋକଙ୍କୁ ଅବଗତ କରାଯିବ। ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ପରେ ତାଙ୍କର ସମସ୍ତ ଜିନିଷ ପତ୍ର ପରିବାର ଲୋକେ ନେଇଯିବେ ବୋଲି ସେ କହିଛନ୍ତି।
ଏବେ ୪ ଦୋଷୀ ତିହାର ଜେଲରେ ଅଛନ୍ତି। ମୁକେଶ, ଅକ୍ଷୟ, ପବନ ବୁଧବାର ପାଖରୁ ଜେଲରେ ଥିବା ଅନ୍ୟ କଏଦୀଙ୍କ ସହ ମାଡ଼ ପିଟ କରିଥିବା ଦେଖିବାକୁ ମିଳିଛି। ଖାଇବାକୁ ନେଇ ଏହି ଝଗଡ଼ା ହୋଇଥିବା ଜଣାପଡ଼ିଛି। ଅନ୍ୟ ଦୋଷୀ ବିନୟ କିନ୍ତୁ ଡେଥ୍ ଓ୍ୱାରେଣ୍ଟ ପରେ ଶାନ୍ତ ପଡ଼ିଛି।
ତେବେ ଫାଶୀ ପୂର୍ବରୁ ଜେଲ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି। ଚାରି ଦୋଷୀଙ୍କ ମନ ଶାନ୍ତି ପାଇଁ ଧାର୍ମିକ ବହି ପଢ଼ିବା ପାଇଁ ଦିଆଯାଇଛି। ଏମିତିକି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି। ଯେମିତିକି ଫାଶୀ ଖୁଣ୍ଟରେ ଝୁଲାଯିବା ପୂର୍ବରୁ ଏମାନଙ୍କର ଓଜନ କମିନଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।