‘କୋଭିଶିଲ୍ଡ’ର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ
ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’କୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବାକୁ ଏ ସଂକ୍ରାନ୍ତ ବିଶେଷଜ୍ଞ କମିଟି ସୁପାରିଶ କରିଛି। ଚୂଡାନ୍ତ ନିଷ୍ପତ୍ତି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନେବେ। ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପ୍ରଦାନ ବେଳେ ସର୍ତ୍ତ ବାବଦରେ ବିଷୟ ବିଶେଷଜ୍ଞ କମିଟି ବା ଏସଇସି ଏବଂ ଡିସିଜିଆଇ ସ୍ଥିର କରିବେ।
ଆଜି ଏହି ଟିକାକୁ ନେଇ ବିଶେଷଜ୍ଞ କମିଟି (ଏସଇସି) ଏକ ବୈଠକ କରିଥିଲା। ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ରାଜି ହୋଇଛି। ବାକି ନିଷ୍ପତ୍ତି ଡିସିଜିଆଇ ସ୍ଥିର କରିବ। ପ୍ରାଥମିକ ପର୍ଯ୍ୟାୟରେ ୩୦୦ ନିୟୁତ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଟିକା ପ୍ରସ୍ତୁତ କରିଥିବା ସୂଚନା ରହିଛି। ଜଣଙ୍କୁ ୨ଟି ଡୋଜ ନେବାକୁ ହେବ। ପ୍ରାଥମିକ ଭାବରେ ସ୍ୱାସ୍ଥ୍ୟକର୍ମୀ, ପଚାଶରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ। ଏମାନଙ୍କୁ ସରକାର ମାଗଣାରେ ଟିକା ଯୋଗାଇଦେବେ।
CDSCO expert panel recommends grant of permission for restricted emergency use of Oxford COVID-19 vaccine Covishield in India: Sources
— Press Trust of India (@PTI_News) January 1, 2021
ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca)/ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି କୋଭିଶିଲ୍ଡ ଟିକା ପ୍ରସ୍ତୁତ ହୋଇଛି। ବ୍ରିଟେନ ସରକାର ମଧ୍ୟ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ଏହା ମାତ୍ ଦେଇପାରିବ ବୋଲି କମ୍ପାନୀର ସିଇଓ ଗତ ରବିବାର ଏକ ଖବରକାଗଜକୁ ସାକ୍ଷାତକାର ଦେଇ କହିଥିଲେ। ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନର ଅକ୍ସଫୋର୍ଡ ସହ ମିଶି ଏହି ଟିକା ତିଆରି କରିଛି। ବିଶ୍ୱରେ ସବୁଠୁ ଅଧିକ ଟିକା ପ୍ରସ୍ତୁତ କରିବାରେ ସେରମର ନାଁ ରହିଛି।
ଅନ୍ୟପଟେ ଆସନ୍ତାକାଲି (ଜାନୁଆରୀ ୨)ରେ କରୋନା ଟିକାକରଣର ଡ୍ରାଏ ରନ୍ ହେବ। ସାରା ଦେଶରେ ଏହି ଟିକାକରଣ ହେବ। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରାଏ ରନର ଅର୍ଥ ହେଉଛି ଡାକ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଟିକାକରଣର ପ୍ରକ୍ରିୟାର ଅଭ୍ୟାସ କରିବା। ଏହାକୁ ଟିକାକରଣର ଏକ ମକଡ୍ରିଲ୍ ବୋଲି ମଧ୍ୟ କହିହେବ। ସରକାର ଏହି ମକଡ୍ରିଲ ବାବଦରେ ଜାଣିବା ପାଇଁ କୋୱିନ୍ ନାମକ ଏକ ମୋବାଇଲ୍ ଆପ ଉପରେ ଗୁରୁତ୍ୱ ଦେଉଛନ୍ତି।
ଲୋକଙ୍କୁ ଟିକା ଯୋଗାଇବା ପାଇଁ କୋଓ୍ୱିନ୍ ଆପ୍ ବ୍ୟବହୃତ ହେବ। ୧୨ ଗୁରୁତ୍ୱପୂର୍ଣ୍ଣ ଦଲିଲ ଆଧାରରେ ଟିକା ଦିଆଯିବ। ଏଥିରେ ପାସପୋର୍ଟ, ଆଧାର, ପାନ୍, ପାସପୋର୍ଟ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ଭଳି ଦଲିଲ ଅନ୍ତର୍ଭୁକ୍ତ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।