ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ଧାରା ୩୭୦କୁ ନେଇ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ସମ୍ବିଧାନର ଧାରା ୩୭୦କୁ ହଟାଇବା ପରେ ପାକିସ୍ତାନରେ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ସରକାରଙ୍କ ଏପରି ନିଷ୍ପତ୍ତି ଜାତିସଂଘ ନିୟମର ବିରୋଧୀ ବୋଲି ପାକିସ୍ତାନ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି।
ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ‘ଦି ଡନ୍’ କହିଛି ଯେ "ସଂସଦରେ ଧାରା ୩୭୦କୁ ନେଇ ପ୍ରବଳ ବିରୋଧ ସତ୍ତ୍ୱେ ବିଲ୍ ପାସ୍ ହୋଇଛି। ଏହି ବିଲ୍ ପାରିତ ହେବା ପରେ ଭାରତର ଯେକୌଣସି ଲୋକ ଜମ୍ମୁ କଶ୍ମୀରରେ ବସବାସ କରିପାରିବ। ତେବେ ଏହାକୁ ନେଇ କଶ୍ମୀରରେ ଭୟର ବାତାବରଣ ଦେଖିବାକୁ ମିଳିଛି ବୋଲି 'ଡନ'ରେ ଖବର ପ୍ରକାଶ ପାଇଛି। ଏଥିସହ କଶ୍ମୀରରେ ମୁସଲିମଙ୍କ ସଂଖ୍ୟାଗରିଷ୍ଠତା ବଦଳରେ ହିନ୍ଦୁ ସଂଖ୍ୟାଗରିଷ୍ଠତା ଦେଖିବାକୁ ମିଳିବ ବୋଲି 'ଡନ'ରେ ପ୍ରକାଶ ପାଇଛି।
ସେହିପରି ଧାରା ୩୭୦କୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମଏଲ-ଏନ)ର ଅଧ୍ୟକ୍ଷ ତଥା ବିରୋଧୀ ଦଳର ନେତା ଶହବାଜ ସରିଫ୍ ଭାରତର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଜିଓ ଟିଭି ଓ୍ୱେବସାଇଟରେ ପ୍ରକାଶ ପାଇଥିବା ଖବରରେ ଉଲ୍ଲେଖ ରହିଛି ଯେ ଭାରତର ଏହି ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଜାତିସଂଘର ନିୟମକୁ ଏହା ବିରୋଧ କରୁଛି। ଆଗାମୀ ଦିନରେ ଚାଇନା, ରୁଷ, ତୁର୍କୀ, ସାଉଦି ଆରବ ଏବଂ ପଡ଼ୋଶୀ ଦେଶ ସହିତ ପାକିସ୍ତାନର ନେତା କଥା ହେବା ଦରକାର ବୋଲି ସରିଫ୍ ଆହ୍ୱାନ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।