ନୂଆଦିଲ୍ଲୀ: ଲୁଟ୍ର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀ। ଗତକାଲି ସକାଳେ ସେ ଅମୃତସରରୁ ଦିଲ୍ଲୀ ଫେରିବା ପରେ ଅଟୋରୁ ଓହ୍ଲାଉଥିବା ବେଳେ ଲୁଟ୍ର ଶିକାର ହୋଇଥିଲେ। ଅଟୋରୁ ଓହ୍ଲାଉ ଓହ୍ଲାଉ ଦୁଇ ଜଣ ବ୍ୟକ୍ତି ଆଖି ପିଛୁଳାକେ ତାଙ୍କଠାରୁ ମୋବାଇଲ୍ ଓ ପର୍ସ ନେଇ ଚମ୍ପଟ ହୋଇଯାଇଥିଲେ। ପର୍ସରେ ୫୦ ହଜାର ଟଙ୍କା ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା ବୋଲି ଦମୟନ୍ତୀ କହିଛନ୍ତି। ଏ ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛି। ଗିରଫ ଲୁଟେରାର ନାଁ ନୋନୁ। ତା’ ପାଖରୁ ଲୁଟ୍ ହୋଇଥିବା ସମସ୍ତ ଜିନିଷ ଜବତ କରାଯାଇଛି।
ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ ଅଞ୍ଚଳର ଗୁଜରାଟୀ ସମାଜ ଭବନ ନିକଟରେ ଏ ଘଟଣା ଘଟିଥିଲା। ଦୁଇ ଲୁଟେରା ସ୍କୁଟରରେ ଆସିଥିଲେ। ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ଲୁଟେରାଙ୍କୁ ଚିହ୍ନଟ କରାଯାଇଥିଲା। ଫେରାର ଥିବା ଅନ୍ୟ ଜଣେ ଲୁଟେରାକୁ ଖୁବ୍ଶୀଘ୍ର ଧରାଯିବ ବୋଲି ପୁଲିସ୍ କହିଛି।
ଦିଲ୍ଲୀ ଉପ-ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନଠାରୁ ମାତ୍ର କିଛି କିଲୋମିଟର ଦୂରରେ ଏ ଘଟଣା ଘଟିଥିବା ବେଳେ ଆମ୍ ଆଦ୍ମୀ ପାର୍ଟି ଏ ନେଇ ମୋଦି ସରକାରଙ୍କୁ ଘେରିବାକୁ ସୁଯୋଗ ପାଇଯାଇଛି। ଦିଲ୍ଲୀରେ ଆଇନଶୃଙ୍ଖଳା ଦିନକୁ ଦିନ ଖରାପ ହେବାରେ ଲାଗିଛି ବୋଲି ଦଳର ମୁଖ୍ୟପାତ୍ର ରାଘବ ଚଡ୍ଢ଼ା କହିଛନ୍ତି।
ସୂଚନାଯୋଗ୍ୟ, ଦମୟନ୍ତୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦଙ୍କ ଝିଅ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।