ନୂଆଦିଲ୍ଲୀ: ରୋହିତ ତିଓ୍ୱାରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ତାଙ୍କ ଶ୍ୱଶୂର ଘର ଅର୍ଥାତ୍ ଅଭିଯୁକ୍ତ ଅପୂର୍ବାଙ୍କ ପରିବାର ଲୋକେ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ରୋହିତଙ୍କ ଅପକର୍ମ ଲୁଚାଇବାକୁ ଯାଇ ରାଜନୀତିକ ଚାପରେ ସେମାନଙ୍କ ଝିଅ ଅପୂର୍ବାଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଗିରଫ କରିଛି।
ଅପୂର୍ବାଙ୍କ ମା' ମଞ୍ଜୁଲତା, ବାପା ତଥା ବରିଷ୍ଠ ଆଇନଜୀବୀ ପିକେ ଶୁକ୍ଳା ଓ ଭାଇ ଆଶୁତୋଷ କହିଛନ୍ତି ଯେ ରୋହିତଙ୍କ ପରିବାର ଲୋକେ ହିଁ ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି। ମା' ମଞ୍ଜୁଲତା କହିଛନ୍ତି ଯେ ରୋହିତ ପ୍ରତିଦିନ ସକାଳ ୯ଟାରୁ ୧୦ଟା ମଧ୍ୟରେ ଉଠି ଜଳଖିଆ ଖାଇଥାନ୍ତି ଏବଂ ଘରେ ନିୟୋଜିତ କର୍ମଚାରୀ ହିଁ ତାଙ୍କୁ ସବୁଦିନ ଜଳଖିଆ ପ୍ରସ୍ତୁତ କରି ଦିଅନ୍ତି। ତେବେ ଏପ୍ରିଲ ୧୬ ତାରିଖରେ ସେହି କର୍ମଚାରୀ ଜଣଙ୍କ ସକାଳ ଜଳଖିଆ କଥା ନବୁଝି କାହିଁକି ଅପରାହ୍ନ ୪ଟାରେ ରୋହିତଙ୍କ ରୁମକୁ ଯାଇଥିଲା ବୋଲି ଅପୂର୍ବାଙ୍କ ମା' ମଞ୍ଜୁଲତା ପ୍ରଶ୍ନ କରିଛନ୍ତି।
ସେହିପରି ସମ୍ପର୍କୀୟ ଭାଇ ରାଜୀବଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ପୂର୍ବରୁ ଉଠିଥିବା ଅଭିଯୋଗକୁ ଜମି ଦେବା ନାଁରେ ଘୋଡ଼ାଇବା ପାଇଁ ରୋହିତ ଓ ଅପୂର୍ବାଙ୍କ ମଧ୍ୟରେ ଜାଣିଶୁଣି ବିବାଦ ସୃଷ୍ଟି କରାଯାଇଥିଲା ବୋଲି ବାପ ଘର ଲୋକେ କହିଛନ୍ତି।
ତେବେ ରୋହିତ ରାତିରେ ଶୋଇବା ପାଇଁ ନିଦ ଟାବଲେଟ ନିୟମିତ ଖାଇବା ଓ ତାଙ୍କର ଅନ୍ୟାନ୍ୟ ରୋଗ ସମ୍ପର୍କରେ ଅପୂର୍ବାଙ୍କ ବାପ ଘର ଲୋକେ ପୂର୍ବରୁ ଜାଣିନଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।
ରୋହିତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି) ଏବଂ ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ହସ୍ତକ୍ଷେପ କରିବା ପାଇଁ ସେମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ ଏପ୍ରିଲ ୧୬ ତାରିଖରେ ରୋହିତ ତିଓ୍ୱାରୀଙ୍କ ମୃତ ଦେହ ଦକ୍ଷିଣ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର ହୋଇଥିଲା। ପ୍ରଥମେ ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରୋହିତଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ଏହି ହତ୍ୟାକାଣ୍ଡର ତଦନ୍ତ ଭାର ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ଦିଆଯିବା ପରେ ମାମଲାର ଅଭିଯୁକ୍ତ ଭାବେ ଅପୂର୍ବାଙ୍କୁ ଗିରଫ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।