ନୂଆଦିଲ୍ଲୀ: ରାସ୍ତା ଉପରେ ୩ଟି ୫ ଶହ ଟଙ୍କିଆ ନୋଟ ପଡ଼ିଥିଲା। କିଛି ଲୋକ ଏହାକୁ ଦେଖୁଥିଲେ ହେଁ କେହି ବି ଏହାକୁ ଛୁଇଁବାକୁ ସାହସ କଲେନାହିଁ। କାଳେ ୫ ଶହ ଟଙ୍କିଆ ନୋଟରେ କରୋନା ଭାଇରସ ଲାଗିଥିବ, ସେଥିପାଇଁ ଏହା ପାଖକୁ କେହି ବି ଆସିଲେନାହିଁ। ଶେଷରେ ପୁଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା।
କିନ୍ତୁ ପୁଲିସ୍ ବି ଟଙ୍କାକୁ ନ ଉଠାଇ ପୂରା ଅଞ୍ଚଳକୁ କର୍ଡନ କରିଥିଲା। ଶେଷରେ ହାତରେ ଗ୍ଲୋବସ ପିନ୍ଧି ଟଙ୍କାକୁ ଉଠାଇ ଏକ ଖାମରେ ପୂରାଇ ନେଇଥିଲା। ଏଭଳି ଏକ ଘଟଣା ଉତ୍ତର ଦିଲ୍ଲୀର ଲାୱରେନ୍ସ ରୋଡରେ ଘଟିଛି।
ବୁଧବାର ଦିନ ୧.୧୫ରେ ପୂରା ଘଟଣା ଆରମ୍ଭ ହୋଇଥିଲା। ୩ଟି ପାଞ୍ଚ ଶହ ଟଙ୍କିଆ ନୋଟ ଜଣଙ୍କ ଘର ସାମ୍ନା ରାସ୍ତାରେ ପଡ଼ିଥିବା କିଛି ଲୋକ ଦେଖିଥିଲେ। ଧୀରେ ଧୀରେ ଲୋକଙ୍କ ସଂଖ୍ୟା ବଢ଼ିଥିଲା। ତେବେ କେହି ବି ନିଜ ଘରୁ ବାହାରି ରାସ୍ତା ଉପରେ ପଡ଼ିଥିବା ଟଙ୍କା ପାଖକୁ ଆସି ନଥିଲେ।
କିଛି ସମୟ ଏମିତି ପରିସ୍ଥିତି ଜାରି ରହିବା ପରେ ଲୋକମାନେ ପୁଲିସକୁ ଫୋନ କରିଥିଲେ। କେଶବପୁରମ ପୁଲିସ୍ ଅଧିକାରୀ ୧.୨୭ ମିନିଟ୍ ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ୍ ମଧ୍ୟ କୌଣସି ରିକ୍ସ ନ ନେଇ ପୂରା ଅଞ୍ଚଳକୁ କର୍ଡନ କରିଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆମେ ପ୍ରଥମେ ରାସ୍ତାକୁ କର୍ଡନ କରିବା ପରେ ନୋଟକୁ ଦେଖୁ ଥିବା ଲୋକଙ୍କୁ ଘରକୁ ଯିବାକୁ କହିଥିଲୁ।
ଏହାପରେ ଜଣେ ପୁଲିସ୍ କର୍ମୀ ହାତରେ ଗ୍ଲୋବ୍ସ ପିନ୍ଧି ଟଙ୍କାକୁ ଉଠାଇଥିଲେ। ଆମେ ଏହାକୁ ସାନିଟାଇଜ କରିବା ପରେ ଖାମରେ ଭର୍ତ୍ତି କରିଥିଲୁ।” ପୁଲିସ୍ ଆଖପାଖ ଅଞ୍ଚଳରେ ଟଙ୍କା କାହାର ବୋଲି ପଚାରି ଥିଲା। କିନ୍ତୁ କେହି ବି ଏହାକୁ ନିଜର ବୋଲି କହି ନଥିଲେ।
ତେବେ ପୁଲିସ୍ ଥାନାକୁ ଆସିବା ପରେ ପୂରା ଘଟଣାରୁ ପର୍ଦ୍ଦା ହଟିଥିଲା। ଚରଣଜୀତ କୌର ନାମକ ଜଣେ ମହିଳା ପୁଲିସ୍ ଷ୍ଟେସନକୁ ଆସିବା ସହ ଏହା ନିଜର ବୋଲି ଦାବି କରିଥିଲେ।
୪୯ ବର୍ଷୀୟ କୌର ଜଣେ ଶିକ୍ଷୟିତ୍ରୀ। ସେ ପୁଲିସ୍କୁ କହିଛନ୍ତି ଯେ ଏହି ନୋଟ ସେ ଏଟିଏମରୁ ଉଠାଇଥିବା ୧୦ ହଜାର ଟଙ୍କାର ଏକ ପାର୍ଟ। ନୋଟରେ ଭାଇରସ ଲାଗିଥିବା ଆଶଙ୍କାରେ ସେ ଏହାକୁ ଧୋଇ ଖରାରେ ଶୁଖାଇଥିଲେ। କିନ୍ତୁ ଏହା ଉଡ଼ିଯାଇଥିଲା। ପୁଲିସ୍ କୌରଙ୍କ ପାଖରେ ଥିବା ଅନ୍ୟ ନୋଟକୁ ଯାଞ୍ଚ କରିବା ପରେ ୩ଟି ଯାକ ୫ଶହ ଟଙ୍କିଆ ନୋଟ ତାଙ୍କୁ ଫେରାଇ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।