ମୁମ୍ୱାଇ: ମହାରାଷ୍ଟ୍ର ଔରାଙ୍ଗାବାଦର ମୁସଲିମ୍ ବିଧାୟକ ଅବଦୁଲ ସତ୍ତାର ଆଜି ମନ୍ତ୍ରୀ ପଦବରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପଦବୀ ପାଇଁ ସେ ଦାବି କରୁଥିଲେ। କିନ୍ତୁ ରାଜ୍ୟ ମନ୍ତ୍ରୀ ଭାବରେ ଦାୟିତ୍ୱ ମିଳିବାରୁ ସେ ଆଜି ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶିବସେନା ଓ ନିଜେ ବିଧାୟକ କିନ୍ତୁ ଏ ବାବଦରେ ନିରବ ରହିଛନ୍ତି। ଡିସେମ୍ୱର ୩୦ରେ ମହାରାଷ୍ଟ୍ର ସରକାରର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଥିଲା। ଏଥିରେ ମୋଟ୍ ୩୬ ଜଣ ବିଧାୟକ ସାମିଲ୍ ହୋଇଥିଲେ।
ଔରାଙ୍ଗାବାଦର ଏହି ବିଧାୟକ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଶିବସେନାରେ ଯୋଗ ଦେଇଥିଲେ। ମହାରାଷ୍ଟ୍ର ମୁସଲିମଙ୍କର ସେ ଜଣେ ଆଗଧାଡ଼ିର ନେତା। ତେଣୁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଉ ବୋଲି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଦାବି କରିଥିଲେ। ମନ୍ତ୍ରିମଣ୍ଡଳ ତାଲିକା ପ୍ରସ୍ତୁତ ବେଳେ ତାଙ୍କ ନାମ ମଧ୍ୟ କ୍ୟାବିନେଟ ତାଲିକାରେ ଥିଲା। ହେଲେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ବେଳେ ତାଙ୍କୁ ରାଜ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ପାଖରେ ସତ୍ତାର ଇସ୍ତଫା ଦେଇଥିବା ନେଇ କୌଣସି ସୂଚନା ନାହିଁ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। କିନ୍ତୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ସେ କହିଛନ୍ତି। ଏବେ ଦଳୀୟ ନେତାଙ୍କୁ ବୁଝିବା ଦରକାର ଯେ, ତିନୋଟି ଦଳ (ଶିବସେନା-ଏନସିପି-କଂଗ୍ରେସ) ମେଣ୍ଟ କରି ମହା ବିକାଶ ଅଘାଡ଼ି ସରକାର କହିଛନ୍ତି। ତେଣୁ ସମସ୍ତଙ୍କ ଦାବି ପୂରଣ କରିବା ସମ୍ଭବ ନୁହେଁ ବୋଲି ସଞ୍ଜୟ ରାଉତ କହିଛନ୍ତି। ସତ୍ତାର କ୍ୟାବିନେଟ ମନ୍ତ୍ରୀ ହେବେ ବୋଲି ମଧ୍ୟ ତାଲିକା ପ୍ରସ୍ତୁତ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ବଦଳିଯାଇଥିଲା ବୋଲି ସେ କହିଛନ୍ତି।
ଏହାପରେ ଉଦ୍ଧବ ଠାକରେଙ୍କ ସହିତ ସତ୍ତାର କଥା ହୋଇଥିଲେ। ଏଥିରେ ସତ୍ତାର ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ଜଣାପଡ଼ିଛି। ସତ୍ତରାଙ୍କ ପୁଅ ସମୀର ସତ୍ତାର ବାପାଙ୍କ ଇସ୍ତଫା ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ଆଗାମୀ ଦିନରେ ତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି ସେ କହିଛନ୍ତି।
ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ରିପବ୍ଲିକିଆନ ପାର୍ଟିର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି, ତିନି ଦଳ ମିଶି ଯେଉଁ ସରକାର ଗଠନ କରିଛନ୍ତି ଏହା ବେଶୀ ଦିନ ନୁହଁ। ତିନି ଜଣ ତିନି ଦିଗରେ ବିଚାରଧାରାରେ ଯାଉଥିବା ଦଳ।
ସୂଚନାଯୋଗ୍ୟ, ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଖାଲି ଶିବସେନା ନୁହଁ ସହଯୋଗୀ ଦୁଇ ଦଳ କଂଗ୍ରେସ ଓ ଏନସିପିରେ ମଧ୍ୟ ରହିଛି। ନୂଆ ମନ୍ତ୍ରୀ ମଣ୍ଡଳକୁ ନେଇ ଅସନ୍ତୋଷ ପ୍ରକାଶ କରି ଏନସିପି ବିଧାୟକ ପ୍ରକାଶ ସୋଲାଙ୍କି ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ୍ କରାଯାଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ଇସ୍ତଫା ବେଳେ ସେ ଅଲଗା କାରଣ ଦର୍ଶାଇଥିଲେ।
ସେହିପରି ଶପଥ ସମାରୋହକୁ ଶିବସେନାର ତୁଣ୍ଡ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ଆସିନଥିଲେ। ଏହାର କାରଣ ତାଙ୍କ ଭାଇ ସୁନୀଲ ରାଉତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ ନକରିବା। ସୁନୀଲ ମଧ୍ୟ ବିଧାୟକ ପଦବୀରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ସତ୍ତାରଙ୍କୁ କ୍ୟାବିନେଟ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ରାଜି ହେବେ ତାହେଲେ ଆଗାମୀ ଦିନରେ ଅସନ୍ତୋଷ ନେତା ମାନେ ମଧ୍ୟ ଇସ୍ତଫା ଦେବା ଆଳରେ ବାର୍ଗେନ୍ କରିପାରନ୍ତି ବୋଲି ଦଳର ଶୀର୍ଷ ନେତା ଚିନ୍ତା କରୁଛନ୍ତି। ଅନ୍ୟପଟେ ଯଦି ଇସ୍ତଫା ଗୃହୀତ ହୁଏ ତାହେଲେ ମେଣ୍ଟ ସରକାରକୁ ନେଇ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିବ। ଯାହାକି ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇପାରେ ବୋଲି ଶିବସେନା ଚିନ୍ତା କରୁଛି। ତେଣୁ ସତ୍ତାରଙ୍କୁ ନିଜ ନିଷ୍ପତ୍ତିରୁ ଓହରିବା ପାଇଁ କହି ଅନ୍ୟ କୌଣସି ଉପାୟରେ ସତ୍ତାରଙ୍କୁ ବୁଝାଇବା ପାଇଁ ଶିବସେନା ନେତା ଚେଷ୍ଟା କରୁଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।