ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ଲଗାତାର ଶିଶୁ ମୃତ୍ୟୁ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ଏନେଇ ସ୍ଥାନୀୟ କଂଗ୍ରେସ ସରକାର ଏବଂ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ବିଭିନ୍ନ ମହଲରେ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଲଗାତାର ବିଭିନ୍ନ ନେତାଙ୍କ ଚରମବାଣୀ ଫଳରେ ସୋନିଆଙ୍କ ପାଇଁ ଚାପ ବଢ଼ିବାରୁ ସେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପ୍ରଭାରୀ ଅବିନାଶ ପାଣ୍ଡେଙ୍କୁ କାରଣ ଦର୍ଶାଇବାକୁ କହିଛନ୍ତି।
ଇତିମଧ୍ୟରେ ଅବିନାଶଙ୍କୁ ସୋନିଆ ଭେଟିସାରିଛନ୍ତି। କୋଟାର ସ୍ଥିତି ନେଇ ଏହି ବୈଠକ ହୋଇଛି। ଏ ପ୍ରସଙ୍ଗରେ ଚିନ୍ତିତ ହୋପଡ଼ିଥିବା ସୋନିଆ ସେମାନଙ୍କୁ ପଚାରିଛନ୍ତି, ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନାହିଁ। ଅବିନାଶ କହିଛନ୍ତି, ସୋନିଆ ଶିଶୁ ମୃତ୍ୟୁର କାରଣ ଜାଣିବାକୁ ଚାହିଁଥିଲେ। ଏହା ଏକ ଦୁଃଖଦ ଘଟଣା ଏବଂ ମୁଖ୍ୟମନ୍ତ୍ରୀ ରିପୋର୍ଟ ଅନୁଯାୟୀ ପଦକ୍ଷେପ ନେବାକୁ କୁହାଯାଇଛି। ବର୍ତ୍ତମାନ ତଦନ୍ତ ଜାରି ରହିଥିବାରୁ ବିଜେପିର ଅଭିଯୋଗ ମିଥ୍ୟା ବୋଲି ସେ କହିବା ସହ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି, ମୁଁ କେନ୍ଦ୍ରର ବିଶେଷଜ୍ଞ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରୁଛି ଏବଂ ରାଜସ୍ଥାନକୁ ନିରୋଗୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସରାକର ଏହି ଘଟଣା ପ୍ରତି ସମ୍ବେଦନଶୀଳ ଅଛନ୍ତି ଏବଂ ଏହାକୁ ନେଇ ରାଜନୀତି ନ କରିବାକୁ ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।