ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବାର ୫ ମାସ ପରେ ବି ବିଭିନ୍ନ ସ୍ଥାନରେ ସରକାର ମୋବାଇଲ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର ଦୀର୍ଘ ଦିନ ଧରି ଏଭଳି ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। ଇଣ୍ଟରନେଟ ଏକ ମୌଳିକ ଅଧିକାର। ବିନା କାରଣରେ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଇବା ଠିକ୍ ନୁହେଁ। ୭ ଦିନ ମଧ୍ୟରେ ଜମ୍ମୁ କଶ୍ମୀରରେ ସ୍ଥିତି ସମୀକ୍ଷା କରି ଇଣ୍ଟରନେଟ୍ ସେବାକୁ ସକ୍ରିୟ କରିବା ପାଇଁ ଜମ୍ମୁ କଶ୍ମୀର ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଏନବି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ଆର ସୁବାଷ ରେଡ୍ଡୀ ଏବଂ ଜଷ୍ଟିସ ବିଆର ଗଭାଇ ମଧ୍ୟ ଏହି ଖଣ୍ଡପୀଠରେ ସାମିଲ୍ ଅଛନ୍ତି।
ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଜମ୍ମୁ କଶ୍ମୀରରେ ହିଂସା ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ଏହାର ଇତିହାସ ରହିଛି। ଆମେ ଲୋକଙ୍କ ଅଧିକାର ଏବଂ ସୁରକ୍ଷାକୁ ସନ୍ତୁଳନ କରି ରଖିବା ଉଚିତ। ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଇବା ମଧ୍ୟ ଦରକାର। ହେଲେ ବିନା କାରଣରେ ଦୀର୍ଘ ଦିନ ଧରି ଲୋକଙ୍କୁ ମୌଳିକ ସେବାରୁ ବଞ୍ଚିତ କରିବା ଠିକ୍ ନୁହେଁ।
ସୂଚନାଯୋଗ୍ୟ, ୫ ଅଗଷ୍ଟ ୨୦୧୯ରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଏହାପରେ ସୁରକ୍ଷା ଉପରେ ନଜର ରଖି ପ୍ରଶାସନ ଜମ୍ମୁ କଶ୍ମୀରରେ ଇଣ୍ଟରନେଟ୍ ବ୍ୟବହାର ଉପରେ ରୋକ୍ ଲଗାଇଥିଲେ। ହେଲେ କିଛି ଦିନ ପରେ ଲ୍ୟାଣ୍ଡଲାଇନ୍ ଇଣ୍ଟରନେଟ୍ ସେବା ଏବଂ ପୋଷ୍ଟ ପେଡ୍ ସେବାର ଇଣ୍ଟରନେଟକୁ ଚାଲୁ କରିଥିଲା ପ୍ରଶାସନ।
ସରକାର ଦୀର୍ଘ ଦିନ ଧରି ଇଣ୍ଟର୍ନେଟ୍ ସେବା ଉପରେ ରୋକ୍ ଲଗାଇବାକୁ ନେଇ ସଂସଦରେ ବିରୋଧୀ ଏହାକୁ ପ୍ରସଙ୍ଗ କରିଥିଲେ। ଉଭୟ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଏ ନେଇ ବିତର୍କ ମଧ୍ୟ ହୋଇଥିଲା।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ପ୍ରସଙ୍ଗରେ ଉତ୍ତର ରଖିବାକୁ ଯାଇ ରାଜ୍ୟସଭାରେ କହିଥିଲେ, ସୁରକ୍ଷା ପାଇଁ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସ୍ଥିତି ସ୍ୱାଭାବିକ ହେବା ପରେ ଇଣ୍ଟରନେଟ ସେବା ସକ୍ରିୟ ହେବ। ସରକାର ମଧ୍ୟ ଲୋକଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।