ରାଜ୍ୟସଭାକୁ ନିର୍ବାଚିତ ହେଲେ ସୁଶୀଲ ମୋଦି
ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି ରାଜ୍ୟସଭା ପାଇଁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ସୋମବାର ବିଧାନସଭା ଲାଇବ୍ରେରୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ତାଙ୍କୁ ପ୍ରମାଣପତ୍ର ଦିଆଯାଇଛି। ଏଥିସହ ସୁଶୀଲ ମୋଦି ବିଧାନସଭା, ଲୋକସଭା, ବିଧାନ ପରିଷଦ ପରେ ଏବେ ରାଜ୍ୟସଭାର ସଦସ୍ୟ ହୋଇଛନ୍ତି।
ସେ ବିହାରର ତୃତୀୟ ନେତା ଭାବେ ଚାରୋଟି ଗୃହର ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାଗମଣି ମଧ୍ୟ ଚାରୋଟି ଗୃହର ସଦସ୍ୟ ରହିସାରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ଦୁଇଟି ନାମାଙ୍କନ ଦାଖଲ କରାଯାଇଥିଲା।
राज्यसभा के लिए निर्विरोध चुने जाने पर प्रमंडलीय आयुक्त से निर्वाचन प्रमाणपत्र प्राप्त करते हुए। pic.twitter.com/AXtDLPyWn8
— Sushil Kumar Modi (@SushilModi) December 7, 2020
ବିଜେପିର ପ୍ରାର୍ଥୀ ଭାବେ ସୁଶୀଲ ମୋଦି ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଶ୍ୟାମ ନନ୍ଦନ ପ୍ରସାଦ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କିନ୍ତୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଶ୍ୟାମ ନନ୍ଦନଙ୍କ ନାମାଙ୍କନ ପତ୍ରରେ ଗୋଟିଏ ବି ପ୍ରସ୍ତାବକଙ୍କ ନାମ କିମ୍ବା ହସ୍ତାକ୍ଷର ନଥିଲା, ଯେଉଁକାରଣରୁ ତାଙ୍କ ନାମାଙ୍କନ ଅବୈଧ ହୋଇଥିଲା।
ନାମାଙ୍କନ ପ୍ରତ୍ୟାହାରର ଅନ୍ତିମ ସମୟ ଡିସେମ୍ବର ୭ ତାରିଖର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଥିଲା। ଯାହା ପରେ ବିଜେପି ପ୍ରାର୍ଥୀ ସୁଶୀଲ ମୋଦିଙ୍କୁ ପାଟନାର ନିର୍ବାଚନ ଅଧିକାରୀ ତଥା ଡିଭିଜନାଲ୍ କମିଶନର ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।