ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦୁଇଟି ଛେଳିଙ୍କୁ ଗଛ ଖାଇବା ଅଭିଯୋଗରେ ପୁଲିସ ଗିରଫ କରିଛି। ଏହି ଗଛଗୁଡ଼ିକ ତେଲେଙ୍ଗନାର ଏକ ସରକାରୀ କାର୍ଯ୍ୟକ୍ରମ ଅଧୀନରେ ଲଗାଯାଇଥିଲା।
ଘଟଣା ସମ୍ପର୍କରେ ହୁଜୁରାବାଦର ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ‘ସେଭ୍ ଦ ଟ୍ରିଜ୍ ସଂଗଠନ’ର ଅନୀଲ୍ ଓ ବିକ୍ରାନ୍ତ ନାମକ ଦୁଇଜଣ ସଦସ୍ୟ ଥାନାକୁ ଆସି ଅଭିଯୋଗ କରିଥିଲେ ଯେ ସେମାନେ ସହରର ବିଭିନ୍ନ ସ୍ଥାନରେ ଲଗାଇଥିବା ଗଛ ଗୁଡ଼ିକୁ ଦୁଇଟି ଛେଳି ଖାଇଦେଇଛନ୍ତି। ଏହାପରେ ପୁଲିସ୍ ଛେଳି ଦୁଇଟିକୁ ଗିରଫ କରିଥିଲେ। ଅବଶ୍ୟ ହୁଜୁରାବାଦ ପୌରପାଳିକା ଅଧିକାରୀ ଛେଳି ଦୁଇଟିର ମାଲିକଙ୍କଠୁ ଏକ ହଜାର ଟଙ୍କାର ଜରିମାନା ନେବା ପରେ ଛେଳି ଦୁଇଟିକୁ ଛାଡ଼ିଦେଇଥିଲେ।
ସଂଗଠନର ସଦସ୍ୟ ବିକ୍ରମ କହିଥିଲେ ଯେ ସେମାନେ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ସହରର ବିଭିନ୍ନ ସ୍କୁଲ, ଡାକ୍ତରଖାନା, ପୁଲିସ୍ ଥାନା ପରିସରରେ ପାଖାପାଖି ୯୦୦ ଗଛ ଲଗାଇଥିଲେ। ହେଲେ ଗଛ ଲଗାଇବାର କିଛିଦିନ ପରେ ହିଁ ଛେଳି ଦୁଇଟି ଏଗୁଡ଼ିକୁ ଖାଇବା ଆରମ୍ଭ କରିଦେଇଥିଲେ। ସେମାନେ ପାଖାପାଖି ୨୫୦ଟି ଗଛ ଖାଇଦେଇଛନ୍ତି। ତେଣୁ ଛେଳିଦୁଇଟିଙ୍କ ବିରୁଦ୍ଧରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।