ଏହି ବ୍ୟକ୍ତି ନେଲେ ଅକ୍ସଫୋର୍ଡ ଟିକାର ପ୍ରଥମ ଡୋଜ୍‌

ଲଣ୍ଡନ: କରୋନା ବିରୋଧୀ ଲଢ଼େଇ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ବ୍ରିଟେନ। ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି କରୋନାକୁ ମାତ୍‌ ଦେବା ପାଇଁ ବ୍ରିଟେନ ଟିକାକରଣ ପ୍ରକ୍ରିୟାଙ୍କୁ ଜୋରଦାର କରିଛି। ଏହିକ୍ରମରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ପ୍ରଥମ ଡୋଜ୍‌ ଆଜି ବ୍ରିଟେନ ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କୁ ପ୍ରଦାନ କରିଛି। କିଛିଦିନ ତଳେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ଜରୁରୀ କାଳୀନ ବ୍ୟବହାର […]

d

Hemant Lenka
  • Published: Monday, 04 January 2021
  • , Updated: 04 January 2021, 03:26 PM IST

ଲଣ୍ଡନ: କରୋନା ବିରୋଧୀ ଲଢ଼େଇ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ବ୍ରିଟେନ। ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି କରୋନାକୁ ମାତ୍‌ ଦେବା ପାଇଁ ବ୍ରିଟେନ ଟିକାକରଣ ପ୍ରକ୍ରିୟାଙ୍କୁ ଜୋରଦାର କରିଛି। ଏହିକ୍ରମରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ପ୍ରଥମ ଡୋଜ୍‌ ଆଜି ବ୍ରିଟେନ ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କୁ ପ୍ରଦାନ କରିଛି।

କିଛିଦିନ ତଳେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ଜରୁରୀ କାଳୀନ ବ୍ୟବହାର ପାଇଁ ବ୍ରିଟେନ ସରକାର ଅନୁମତି ଦେଇଥିଲେ। ଭାରତରେ ମଧ୍ୟ ଏହି ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଆଜି ୮୨ ବର୍ଷୀୟ ବ୍ରାଏନ ପିଙ୍କରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ କୋଭିସିଲ୍ଡର ପ୍ରଥମ ଡୋଜ୍‌ ନେଇଛନ୍ତି। ତାଙ୍କୁ ହସ୍ପିଟାଲର ମୁଖ୍ୟ ନର୍ସ ସାମ ଫୋଷ୍ଟର ଏହି ଶଟ୍‌ ଦେଇଛନ୍ତି।

ଟିକା ନେବା ପରେ ପିଙ୍କରେ କହିଛନ୍ତି, ଏବେ ମୋତେ ବହୁତ ଆଶ୍ୱସ୍ତି ଲାଗୁଛି। ମୋର ଆଶା ଖୁବଶୀଘ୍ର ମୁଁ ମୋ ପତ୍ନୀ ଶ୍ରୀଲେୟଙ୍କ ସହ ୪୮ତମ ବିବାହ ବାର୍ଷିକୀ ପାଳନ କରିବି।

ଡିସେମ୍ବର ୮ଠାରୁ ବ୍ରିଟେନର ନ୍ୟାଶନାଲ ହେଲଥ ସର୍ଭିସ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାର ଡୋଜ ଲୋକଙ୍କୁ ଦେବା ଆରମ୍ଭ କରିଛି। ଏହି ଟିକାକୁ ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯାଉଛି। ଏବେ ପୁଣିଥରେ କୋଭିସିଲ୍ଡର ଟିକାକରଣ ଆରମ୍ଭ ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ଖୁବକମ ଲୋକଙ୍କୁ କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲରେ କୋଭିସିଲ୍ଡ ଟିକା ଦିଆଯିବ। ଏହି ଟିକା ଦ୍ୱାରା ଯଦି ଲୋକଙ୍କ ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯିବ ନାହିଁ, ତା’ହେଲେ ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ କରାଯିବ ବୋଲି ବ୍ରିଟେନ ସରକାର କହିଛନ୍ତି।

ଏବେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି। ଫାଇଜର ଓ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ଟିକା ଏହାକୁ ରୋକିବାରେ ସକ୍ଷମ ବୋଲି ଉଭୟ କମ୍ପାନୀ ଦାବି କରିଛନ୍ତି। ଏବେ ଏହି ଦାବି କେତେ ଦୂର ଠିକ୍‌ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ କୋଭିସିଲ୍ଡ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ବେଳେ ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଯଦି ଜଣେ କରୋନା ଆକ୍ରାନ୍ତଙ୍କୁ ପ୍ରଥମେ ଟିକାର ଅଧା ଡୋଜ୍ ଓ ଏହାର ମାସକ ମଧ୍ୟରେ ପୂରା ଡୋଜ୍ ଦିଆଯାଉଛି, ତା’ହେଲେ ଏହା କରୋନାକୁ ପ୍ରତିହତ କରିବାରେ ୯୦% ସହାୟକ ହେଉଛି।

ସେହିପରି ଆଉ ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ ଯଦି ମାସକ ମଧ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କୁ ଦୁଇ ଥର ଟିକାର ଫୁଲ ଡୋଜ୍ ଦିଆଯାଉଛି, ତା’ହେଲେ ଏହା ୬୨% ପ୍ରଭାବ ଦେଖାଇ ପାରୁଛି। ଦୁଇଟି ଯାକ ଟ୍ରାଏଲକୁ ବିଶ୍ଲେଷଣ କଲେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ଟିକା କରୋନା ବିରୋଧରେ ହାରାହାରି ୭୦% ପ୍ରଭାବ ଦେଖାଇ ପାରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

କମ୍ପାନୀ ଆହୁରି କହିଛି ଯେ ଏହି ପରିସଂଖ୍ୟନ ବେଶ ଗୁରୁତ୍ୱପୂର୍ଣ୍ଣ। ସେହିପରି ଟିକା ନେଉଥିବା ଲୋକମାନଙ୍କର କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖାଯାଉ ନାହିଁ। କୋଭିଡ୍ ୧୯ ବିରୋଧରେ ଏହା ବେଶ ପ୍ରଭାବୀ ଓ ସୁରକ୍ଷିତ। ତୁରନ୍ତ ଏହି ଟିକା ବିଶ୍ୱରେ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟଗତ ଜରୁରୀ ସମସ୍ୟାକୁ ମଧ୍ୟ ଦୂର କରିପାରିବ।

Related story