ୱାଶିଂଟନ: ପ୍ରଥମେ ହାଇଡ୍ରୋକ୍ସି କ୍ଲୋରୋକୁଇନ କରୋନା ମୁକାବିଲା କରିବ ବୋଲି କହୁଥିବା ଆମେରିକା ଏବେ ରେମଡେସିଭିର ଉପରେ ଭରସା କରିଛି। ରେମଡେସିଭିର ଦ୍ୱାରା କରୋନା ରୋଗୀ ସୁସ୍ଥ ହେଉଥିବା ଆମେରିକା ଦାବି କରିଛି।
କ୍ଲିନିକାଲ ଟ୍ରାଏଲ ଦ୍ୱାରା ୩୦% କରୋନା ସଂକ୍ରମଣକୁ ରେମଡେସିଭିର ରୋକିପାରୁଥିବା ପ୍ରମାଣି ମିଳିଛି। କରୋନା ରୋଗୀଙ୍କ ଉପରେ ରେମଡେସିଭିର ପ୍ରୟୋଗ କରିବାରୁ ସେମାନେ ଶୀଘ୍ର ସୁସ୍ଥ ହେଉଛନ୍ତି ବୋଲି ଆମେରିକା କହିଛି। ଆମେରିକାର ମେଡିକାଲ ଗବେଷଣା ସଂସ୍ଥା ଏନଆଇଏଆଇଡି କହିଛି ଯେ ଗିଲିଡ ସାଇନନ୍ସ ପ୍ରସ୍ତୁତ କରୁଥିବା ରେମଡେସିଭିର ଦ୍ୱାରା କରୋନା ରୋଗୀ ୩୧% ଅଧିକ ବେଗରେ ସୁସ୍ଥ ହେଉଛନ୍ତି।
ପ୍ଲେସବୋ ଦ୍ୱାରା କରୋନା ରୋଗୀ ଅତ୍ୟନ୍ତ କମ ବେଗରେ ସୁସ୍ଥ ହେଉଥିଲେ। ପ୍ଲେସବୋ ଦ୍ୱାରା କରୋନା ରୋଗୀ ୧୫ ଦିନରେ ସୁସ୍ଥ ହେଉଥିବା ବେଳେ ରେମଡେସିଭିର ଦ୍ୱାରା ସୁସ୍ଥ ହେବା ପାଇଁ ୧୧ ଦିନ ସମୟ ଲାଗୁଛି। ତେଣୁ ରେମଡେସିଭିର କରୋନା ଭାଇରସକୁ ମୁକାବିଲା କରିବା ସକ୍ଷମ ବୋଲି ଏନଆଇଏଆଇଡି କହିଛି।
ଫେବୃଆରୀ ୨୧ରୁ ଆମେରିକା, ୟୁରୋପ ଓ ଏସିଆର ୧୦୬୩ ଜଣ ଲୋକଙ୍କୁ ୬୮ଟି ସ୍ଥାନରେ ରେମଡେସିଭିର ଦ୍ୱାରା ଚିକିତ୍ସା କରାଯାଇଥିଲା। ଏହାର ପ୍ରୟୋଗ ଦ୍ୱାରା ଅନେକ ଲୋକ ଶୀଘ୍ର ସୁସ୍ଥ ହୋଇଥିବା ପ୍ରମାଣ ମିଳିଛି।
ପରୀକ୍ଷାରୁ ଜଣାପଡ଼ିଛି ଯେ ରେମଡେସିଭିର ଆଣ୍ଟି ଭାଇରାଲ ଔଷଧକୁ ବ୍ୟବହାର କରି କରୋନା ରୋଗୀଙ୍କୁ ଆରୋଗ୍ୟ କରାଯାଇଛି। ବର୍ତ୍ତମାନ ଏହା ଉପରେ ଅଧିକ ସର୍ଭେ କରାଯାଉଛି। ବର୍ତ୍ତମାନ ସମୟରେ ଯଦି ଜଣେ ରୋଗୀଙ୍କ ଶରୀରରେ କୌଣସି ପ୍ରକାରର ଔଷଧ କାମ କରୁନାହିଁ, ତା’ହେଲେ ଡାକ୍ତରମାନେ ଚାହିଁଲେ ରେମଡେସିଭିର ବ୍ୟବହାର କରିପାରିବେ।
ଇବୋଲା ମେଡିସିନ ଭାବେ ଏହାକୁ ପ୍ରଥମେ ବ୍ୟବହାର କରାଯାଇଥିଲା। ରେମଡେସିଭିର ଟାବ୍ଲେଟ୍ ଇବୋଲା ରୋଗୀଙ୍କୁ ସୁସ୍ଥ କରାଇବା ସହ ଇବୋଲାକୁ ହରାଇବାରେ ଫଳପ୍ରଦ ହୋଇଥିଲ। ଇବୋଲା ରୋଗୀଙ୍କୁ ଏହା ଦେବା ପୂର୍ବରୁ ରେମଡେସିଭିର ପ୍ରଥମେ ମାଙ୍କଡ଼ ମାନଙ୍କ ଉପରେ ମଧ୍ୟ ବ୍ୟବହାର କରାଯାଇଥିଲା।
ପରେ ଏହା ରୋଗୀଙ୍କୁ ଦିଆଯାଇଥିଲା। ଏହା ଭାଇରସକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରେନାହିଁ। କିନ୍ତୁ ଭାଇରସର ସଂକ୍ରମଣକୁ ରୋକିବାରେ ସହାୟତ ହୋଇଥାଏ। ଅର୍ଥାତ ଭାଇରସ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗରେ ପହଞ୍ଚିବା ଉପରେ ରୋକ ଲଗାଇବା ପାଇଁ ରେମଡେସିଭିର ସାହାଯ୍ୟ କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।