ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ରାହୁଲ, ସୋନିଆ ଏବଂ ରାଜନାଥଙ୍କ ଭଳି ହେଭିୱେଟ୍‌ଙ୍କ ଭାଗ୍ୟ ଇଭିଏମରେ ହେବ ସିଲ୍

ନୂଆଦିଲ୍ଲୀ: ଆଜି ୧୭ତମ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ୭ଟି ରାଜ୍ୟର ୫୧ଟି ଆସନ ପାଇଁ ଏହି ମତଦାନ ଚାଲିଛି। ଏଥିରେ ଉତ୍ତର ପ୍ରଦେଶର ୧୪ଟି ଆସନ ରହିଥିବା ବେଳେ ବିହାରର ୫ଟି, ମଧ୍ୟପ୍ରଦେଶର ୭ଟି, ରାଜସ୍ଥାନର ୧୩ଟି, ଝାରଖଣ୍ଡର ୪ଟି, ଜମ୍ମୁ କଶ୍ମୀରର ୨ଟି ଓ ପଶ୍ଚିମବଙ୍ଗର ୭ଟି ଆସନ ରହିଛି।

ଏହି ୫୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୮.୭୫ କୋଟି ମତଦାତା ଅଛନ୍ତି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିବ।

ଏହି ପର୍ଯ୍ୟାୟ ନିର୍ବାଚନରେ ଗୃହମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ସମେତ ଅନେକ ହେଭିୱେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଯିବ।

ଆମେଠି ଲୋକସଭା ଆସନରେ ରାହୁଲ ଗାନ୍ଧି ଓ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ଲଢ଼େଇ ହେଉଛି।  ରାଏବରେଲି ଆସନରେ ସୋନିଆ ଗାନ୍ଧି ଛିଡ଼ା ହୋଇଥିବା ବେଳେ ଲକ୍ଷ୍ନୌ ଆସନରେ  ରାଜନାଥ ସିଂହ ପ୍ରାର୍ଥୀ ହୋଇଛନ୍ତି। ରାଜସ୍ଥାନର ଜୟପୁର ଲୋକସଭା ଆସନରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପ୍ରାର୍ଥୀ ହୋଇଛନ୍ତି।

କୋଲକାତାରେ ୭ଟି ଯାକ ନିର୍ବାଚନ ମଣ୍ଡଳୀ  ଅତି ସମ୍ୱେଦନଶୀଳ ହୋଇଥିବାରୁ ୧୩, ୨୯୦ଟି ପୋଲିଂ ବୁଥରେ ମତଦାନ ଚାଲିଥିବା ବେଳେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏହି ୭ଟି ନିର୍ବାଚନ ମଣ୍ଡଳୀରେ୧.୧୬ କୋଟି ଭୋଟର୍ ରହିଛନ୍ତି। ଏଥିରେ ୬୦.୦୪ ଲକ୍ଷ ପୁରୁଷ, ୫୬.୮୬ ଲକ୍ଷ ମହିଳା  ଓ ୨୧୧ ଜଣ କିନ୍ନର ରହିଛନ୍ତି। ୭ଟି ଆସନ ପାଇଁ ମୋଟ ୮୩ ଜଣ ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ମହିଳା ରହିଛନ୍ତି।

ଆଜି ମତଦାନ ହେଉଥିବା ଅଧିକାଂଶ ସ୍ଥାନରେ ବିଜେପିର ଅଧିକାଂଶ ସାଂସଦ ୨୦୧୪ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଉତ୍ତର ପ୍ରଦେଶର ୧୪ଟି ଆସନରୁ ବିଜେପି ୨୦୧୪ ନିର୍ବାଚନରେ ୧୨ଟି ଆସନରେ ଜିତିଥିଲା। କେବଳ ରାଏବରେଲି ଏବଂ ଆମେଠି ଲୋକସଭା ଆସନରେ କଂଗ୍ରେସ ଗତଥର ଜିତିଥିଲା। ସେହିପରି ମଧ୍ୟପ୍ରଦେଶର ୭ଟି ଆସନ ଯାକ ଗତଥର ବିଜେପି ଜିତିଥିଲା। ସେହିଭଳି ବିହାରର ୫ଟି ଆସନରୁ ବିଜେପି ଅନ୍ତିମଥର ୪ଟି ଆସନରେ ଏକାକୀ ବିଜୟ ହୋଇଥିଲା।

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଚଳିତଥର ମେଣ୍ଟ କରିଥିବାରୁ ବିଜେପିକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ୁଛି। ସେହିପରି ରାଜସ୍ଥାନରେ ଅନ୍ତିମ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ସରକାର ଗଢ଼ିଥିବାରୁ ଚଳିତଥର ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସେହିପରି ବିହାରରେ ଆରଜେଡ଼ି ନେତୃତ୍ୱରେ କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମେଣ୍ଟ କରିଥିବାରୁ ବିଜେପି-ଜେଡ଼ିୟୁ-ଏଲଜେପି ମେଣ୍ଟ ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଝାରଖଣ୍ଡରେ ମଧ୍ୟ ୧୪ଟି ଆସନରୁ ବିଜେପି ୧୩ଟି ଆସନରେ ୨୦୧୪ରେ ଜିତିଥିଲା। ହେଲେ ଏବେ ରାଜ୍ୟର ଶାସକ ଦଳ ବିଜେପି ବିରୋଧରେ ‍କ୍ଷମତା ବିରୋଧୀ ହାୱା ଚାଲୁଥିବାରୁ ବିଜେପି ଅନ୍ତିମଥର ଭଳି ଜିତିବା ସେତେଟା ସହଜ ନୁହେଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।