ମଣ୍ଡସୌର: କରୋନା ସଂକ୍ରମଣ ମଧ୍ୟରେ କଡ଼ା ସର୍ତ୍ତ ଭିତ୍ତିରେ ଦେଶର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲିଛି। ମନ୍ଦିର ଠାରୁ ମସଜିଦ ଖୋଲିଥିଲେ ହେଁ ଲୋକମାନେ ଏଠାରେ କୌଣସି ଜିନିଷକୁ ସ୍ପର୍ଶ କରିପାରିବେ ନାହିଁ ବୋଲି ଗାଇଡଲାଇନ ଜାରି କରାଯାଇଛି। ତେବେ ମନ୍ଦିରକୁ ଯାଉଥିବା ଲୋକମାନେ ଘଣ୍ଟି କେମିତି ବଜାଇବା, ତା’କୁ ନେଇ ଚିନ୍ତା ପ୍ରକାଶ ପାଇଥିଲା।
ଏସବୁ ଭିତରେ ମଧ୍ୟପ୍ରଦେଶର ମଣ୍ଡସୌରରେ ଜଣେ ମୁସଲିମ ବ୍ୟକ୍ତି ଏଠାରେ ଥିବା ପଶୁପତିନାଥ ମନ୍ଦିରରେ ଘଣ୍ଟି ବଜାଇବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି। ବିନା ସ୍ପର୍ଶରେ ବି ମନ୍ଦିରରେ ଶ୍ରଦ୍ଧାଳୁମାନେ ଘଣ୍ଟି ବଜାଇ ପାରିବାର ବ୍ୟବସ୍ଥା ସେ କରିଛନ୍ତି। କେବଳ ସେନସର ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯାଉଛି।
https://twitter.com/i/status/1272363108132982784
ଜଣେ ଶ୍ରଦ୍ଧାଳୁ ଘଣ୍ଟି ଲାଗିଥିବା ସ୍ଥାନର ନିକଟବର୍ତ୍ତୀ ହେବା କ୍ଷଣି ଏହା ଆପେଆପେ ବାଜୁଛି। ଶ୍ରଦ୍ଧାଳୁମାନେ ବି ଏପରି ବ୍ୟବସ୍ଥା ଦ୍ୱାରା ଖୁସି ବ୍ୟକ୍ତ କରିଛନ୍ତି।
ଘଣ୍ଟିକୁ ତିଆରି କରିଥିବା ୬୨ ବର୍ଷୀୟ ନାହରୁ ଖାନ ମେଭ କହିଛନ୍ତି, କରୋନା ଭାଇରସ ଲକଡାଉନ କୋହଳ ପରେ ମସଜିଦରେ ଆଜାନ ପଢ଼ିବାକୁ ଅନୁମତି ମିଳିଛି। ତେଣୁ ମନ୍ଦିରରେ ବି ଲୋକମାନେ ଘଣ୍ଟି ବଜାଇବା ଦରକାର। ଏହାକୁ ଦୃଷ୍ଟିରେ ରଖି ମୁଁ ଇନ୍ଦୋରରୁ ଏକ ସେନସର ଆଣିଥିଲି।
ଏହାପରେ ମୋ ଫ୍ୟାକ୍ଟ୍ରୀରେ ୬ ହଜାର ଟଙ୍କା ଖର୍ଚ୍ଚ କରି ଏକ ମେସିନ ତିଆରି କରିଥିଲି। ଏହାକୁ ମୁଁ ମନ୍ଦିରକୁ ଦେଇଛି। ଏବେ ବିନା ସ୍ପର୍ଶରେ ମନ୍ଦିରରେ ଘଣ୍ଟି ବାଜିପାରୁଛି ବୋଲି ସେ କହିଛନ୍ତି।
କରୋନା ପାଇଁ ଦୀର୍ଘ ୭୬ ଦିନ ହେଲା ପଶୁପତିନାଥ ମନ୍ଦିର ବନ୍ଦ ରହିଥିଲା। ତେବେ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ଜୁନ୍ ୮ ତାରିଖରୁ ଏହା ଭକ୍ତଙ୍କ ପାଇଁ ଖୋଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।