ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଦିଲ୍ଲୀ ପ୍ରସ୍ତୁତ। କେନ୍ଦ୍ର ସରକାର ଦିଲ୍ଲୀର ୧୧ଟି ଯାକ ଜିଲ୍ଲାକୁ ରେଡଜୋନରେ ସାମିଲ କରିବା ପରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ଦିଲ୍ଲୀର କିଛି ଅଞ୍ଚଳକୁ ଗ୍ରୀନ ଓ ଅରେଞ୍ଜ ଜୋନରେ ରଖିବାର ଥିଲା। ଏହାଦ୍ୱାରା କିଛି ଅର୍ଥନୀତିକ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ। ସେହିପରି ଏବେ ବି କେନ୍ଦ୍ର ଚାହିଁଲେ ଦିଲ୍ଲୀକୁ ଖୋଲି ପାରିବେ। ଆମେ କରୋନା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଏକ କାର୍ଯ୍ୟକ୍ରମ ଜରିଆରେ କେଜ୍ରିୱାଲ କହିଛନ୍ତି, “ଦୁଭାର୍ଗ୍ୟବଶତଃ ଦିଲ୍ଲୀର ସମଗ୍ର ଜିଲ୍ଲାକୁ ରେଡଜୋନ ଭାବେ ଚିହ୍ନଟ କରାଯାଇଛି। ମୁଁ ଭାବୁଥିଲି କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ସେହିପରି ଦିଲ୍ଲୀର ଅନ୍ୟ ପ୍ରାନ୍ତରେ ଅର୍ଥନୀତିକ କାର୍ଯ୍ୟକଳାପ ଆରମ୍ଭ। ଏ ସମ୍ପର୍କରେ ମୁଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରୁଛି।
ମୋର ଆଶା କେନ୍ଦ୍ର ସରକାର ଆମ ପ୍ରସ୍ତାବକୁ ଗ୍ରହଣ କରିବେ। ଜିଲ୍ଲାର ଗୋଟିଏ ସ୍ଥାନରେ ଏକାଧିକ ଲୋକ ଚିହ୍ନଟ ହେଉଥିବାରୁ ତା’କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି। ହେଲେ ଏଥିପାଇଁ ସମଗ୍ର ଜିଲ୍ଲାକୁ ରେଡଜୋନ ଭାବେ ଚିହ୍ନଟ କରାଯାଉଛି।
ସରକାର କଣ୍ଟେନମେଣ୍ଟ ଜୋନରେ ଯୁଗ୍ମ-ଅଯୁଗ୍ମ ନୀତି ପାଳନ କରି ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇ ପାରନ୍ତି। ମୁଁ ନିଶ୍ଚିତ ଯେ କରୋନା ସହ ଲଢ଼େଇ କରିବାକୁ ଦିଲ୍ଲୀ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ଆମେ ଆମର ସ୍ୱାସ୍ଥ୍ୟଭିତ୍ତିଭୂମିକୁ ସୁଦୃଢ଼ କରିସାରିଛୁ। ଦିଲ୍ଲୀକୁ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ଖୋଲାଯାଉ। ଆମେ କରୋନା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିଛୁ। ଆମେ ପ୍ରବାସୀ ଶ୍ରମିକଙ୍କୁ ଚାକିରି ଦେବୁ। ଫଳରେ ସେମାନେ ନିଜ ଘରକୁ ଫେରିବାକୁ ନେଇଥିବା ନିଷ୍ପତ୍ତିକୁ ବଦଳାଇ ପାରନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।