ଲେହ: ପାକିସ୍ତାନକୁ ପୁଣି କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଡିଆରଡିଓର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ ସିଂହ କହିଛନ୍ତି, ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ଆନ୍ତର୍ଜାତିକ ସ୍ତରରେ ଯେଉଁଭଳି ପ୍ରୟାସ କରୁଛି, ସେଥିରେ ସମୂର୍ଣ୍ଣ ବିଫଳ ହୋଇସାରିଛି। ଏବେ କେବଳ ଏହାକୁ ପ୍ରସଙ୍ଗ କରି କାନ୍ଦିବା ଛଡ଼ା ପାକିସ୍ତାନ ଆଗରେ ଅନ୍ୟ କୌଣସି ବିକଳ୍ପ ରାସ୍ତା ନାହିଁ।
ଏହି ଅବସରରେ ରାଜନାଥ ପାକିସ୍ତାନକୁ ପ୍ରଶ୍ନ କରି କହିଛନ୍ତି, କଶ୍ମୀର କେବେ ପାକିସ୍ତାନର ଥିଲା କି? ଭାରତରୁ ଅଲଗା ହେବା ପରେ ଗୋଟିଏ ଦେଶର ମାନ୍ୟତା ପାଇଛି ପାକିସ୍ତାନ। ଏହାକୁ ଆମେ ସମ୍ମାନ ଜଣାଉଛୁ। ତେଣୁ କଶ୍ମୀର ପ୍ରସଙ୍ଗରେ କାହିଁକି ମୁଣ୍ଡ ପୂରାଇ କାନ୍ଦୁଛ ବୋଲି ପାକିସ୍ତାନ ଉଦ୍ଦେଶ୍ୟରେ ରାଜନାଥ ସିଂହ କହିଛନ୍ତି।
https://twitter.com/rajnathsingh/status/1166951272689258497
ସେ ଆହୁରି କହିଛନ୍ତି, କଶ୍ମୀର ଭାରତର ବୋଲି ସମସ୍ତେ ଜାଣନ୍ତି। ଅନ୍ୟପକ୍ଷେ, ଏକଥା ସତ ଯେ ଗିଲଗିଟ-ବାଲୁଚିସ୍ତାନକୁ ପାକିସ୍ତାନ ଜୋର ଜବରଦସ୍ତି ମାଡ଼ି ବସିଛି। ପାକିସ୍ତାନ ଅଧିକୃତ କଶ୍ମୀରରେ ଯେଉଁଭଳି ମାନବାଧିକାରର ଉଲ୍ଲଂଘନ ହେଉଛି ସେଥିପ୍ରତି ପାକିସ୍ତାନ ଧ୍ୟାନ ଦେବା ଦରକାର। ଫେବୃଆରୀ ୧୯୯୪ରେ ଭାରତ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରିଥିଲା। ଯେଉଁଥିରେ ଭାରତ ତା'ର ଭୌଗୋଳିକ ଚିତ୍ର ସ୍ପଷ୍ଟ କରିଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କର ଏହା ପ୍ରଥମ ଲଦାଖ ଗସ୍ତ ଥିଲା। ଡିଆରଡିଓ ଦ୍ୱାରା ଆୟୋଜିତ ଏକ କିଷାନ-ଯବାନ-ବିଜ୍ଞାନ ମେଳାର ଉଦଘାଟନ ଉତ୍ସବରେ ଯୋଗ ଦେଇ ପୁଣି ଥରେ ପିଓକେ ପ୍ରସଙ୍ଗରେ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜନାଥ ସିଂହ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।