ନୂଆଦିଲ୍ଲୀ:୨୦୧୩ ମସିହାରେ ଟାଇମ୍ ମ୍ୟାଗାଜିନ୍ ପ୍ରସ୍ତୁତ କରିଥିବା ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇବା ପରେ ଖୁସି ହୋଇପାରି ନଥିଲେ ନୋବେଲ ବିଜେତା ମଲାଲା ୟୁସୁଫ୍ଜାଇ। ଏହାର କାରଣ ସ୍ୱରୂପ ସେ ତାଙ୍କ ବାପାଙ୍କୁ କହିଥିଲେ, ମୁଁ ମଣିଷଙ୍କ ବିଭାଗୀକରଣ କରାଯିବା କଥାକୁ ଆଦୌ ପସନ୍ଦ କରେନି।
ମଲାଲାଙ୍କ ବାପା ଜିଆଉଦ୍ଦିନ୍ ୟୁସୁଫ୍ଜାଇ ତାଙ୍କର ସଦ୍ୟ ଲିଖିତ ବହି “Let Her Fly: A Father's Journey and the Fight for Equality”ରେ ଏଭଳି କଥାସବୁ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତି ତାଲିକାର ୧୫ ତମ ସ୍ଥାନରେ ଥିଲେ ମଲାଲା ଏବଂ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମା ୫୧ତମ ସ୍ଥାନରେ ଥିଲେ। ଜିଆଉଦ୍ଦିନ୍ଙ୍କୁ ବ୍ରିଟେନ୍ରେ ଡ୍ରାଇଭର ଭାବେ କାମ କରୁଥିବା ସାହିଦ୍ ହୁସେନ୍ ମ୍ୟାଗାଜିନର କଭର୍ ଦେଖାଇବା ପରେ ସେ ତାଙ୍କ ଝିଅଙ୍କୁ ଏ ବିଷୟରେ ଜଣାଇଥିଲେ।
ଏହା ପରେ ମଲାଲାଙ୍କ ପ୍ରତିକ୍ରିୟା ବାବଦରେ ସେ କହିଛନ୍ତି, “ମଲାଲା ସେତେବେଳେ ହସ୍ପିଟାଲରେ ଥିଲା। ଆମେ ସ୍ୱାମୀ ସ୍ତ୍ରୀ ଏମିତି ଜଣେ ଲୋକ ଖୋଜୁଥିଲୁ ଯିଏ ଆମକୁ ନେବାଆଣିବା କରିପାରିବ। ସାହିଦ୍ ହୁସେନ୍ ନାମକ ଏହି ଡ୍ରାଇଭର ଆମର ଭଲ ବନ୍ଧୁ ହୋଇଯାଇଥିଲେ। ଦିନେ ଏହି ଡ୍ରାଇଭର ଆମକୁ ଟାଇମ୍ ମ୍ୟାଗାଜିନ୍ରେ ବାହାରିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ସମ୍ପର୍କରେ ଜଣାଇଥିଲା ଏବଂ ମୁଁ ମଲାଲାକୁ ଏହା ଦେଖାଇଲେ ସେ ଖୁସି ହେବ ବୋଲି କହିଥିଲା।”
ଜିଆଉଦ୍ଦିନ୍ ଉତ୍ସାହିତ ହୋଇ ମଲାଲାଙ୍କୁ ମ୍ୟାଗାଜିନଟି ଦେଖାଇବା ପରେ ସେ ପଢ଼ିଥିଲେ ଏବଂ ତାକୁ ତଳେ ଥୋଇ ଦେଇଥିଲେ। କହିଥିଲେ, “ମୁଁ ମଣିଷଙ୍କୁ ଏଭଳି ବିଭାଗୀକରଣ କରାଯିବା କଥାକୁ ଆଦୌ ପସନ୍ଦ କରେନି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।