ଲାଜୋସ: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ୨୦ ଜଣଙ୍କ ଜୀବନ। ଗୋଟିଏ ଯାତ୍ରୀବାହୀ ବସ୍ ଅନ୍ୟ ଏକ ଗାଡ଼ି ସହ ପିଟି ହେବାରୁ ଏଥିରେ ନିଆଁ ଲାଗି ଯାଇଛି। ଫଳରେ ଘଟଣାସ୍ଥଳରେ ୨୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନାଇଜେରିଆର ଇବାରପା ଅନ୍ତର୍ଗତ ଲାନଲେଟ୍ରେ ଏହି ଘଟଣା ଶୁକ୍ରବାର ରାତିରେ ଘଟିଛି। ଆଜି ଏ ସମ୍ପର୍କରେ ପୁଲିସ ସୂଚନା ଦେଇଛି।
ଇବାରପା ଜିଲ୍ଲାର ଚେୟାରମ୍ୟାନ ଜବେଙ୍ଗା ଓବାଲୋୱୋ କହିଛନ୍ତି, ଏହା ଏକ ଭୟଙ୍କର ଦୁର୍ଘଟଣା ଥିଲା। ଆମେ ବସ୍ ଭିତରୁ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରିଛୁ। ସେଗୁଡ଼ିକ ସଂପୂର୍ଣ୍ଣ ଜଳି ଯାଇଛି। ଦୁଇ ଗାଡ଼ି ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଥିଲେ। ଉଭୟ ଗାଡ଼ିରେ ଯାତ୍ରୀ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଥିଲା। କିଛି ଲୋକ ବାହାରକୁ ବାହାରିବାରେ ସକ୍ଷମ ହୋଇଥିବା ବେଳେ ୨୦ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।
ସେହିପରି ଦୁଇ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡ଼ି ଦୁଇଟି ନିଆଁରେ ସଂପୂର୍ଣ୍ଣ ଭାବ ପୋଡ଼ି ଯାଇଛି ବୋଲି ସେ କହିଛନ୍ତି। ସେ ଦୁର୍ଘଟଣା ପାଇଁ ସ୍ପିଡ ଓ ତ୍ରୁଟିପୂର୍ଣ୍ଣ ଡ୍ରାଇଭିଂକୁ ଦାୟୀ କରିଛନ୍ତି।
ପୁଲିସ୍ ମଧ୍ୟ ୨୦ ଜଣ ଲୋକ ପ୍ରାଣ ହରାଇଥିବା କଥାକୁ ନିଶ୍ଚିତ କରିଛି। ହେଲେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇନାହିଁ। ଦୁଇଟି ଯାକ ଗାଡ଼ିରେ କେତେ ଲୋକଥିଲେ? ପ୍ରାଣ ହରାଇଥିବା ଲୋକମାନେ କୁଆଡ଼େ ଯାଉଥିଲେ? ସେମାନଙ୍କ ପରିଚୟ ଆଦି ସାର୍ବଜନୀନ କରାଯାଇନି।
ଏହାପୂର୍ବରୁ ଜୁଲାଇ ମାସରେ ନାଇଜେରିଆର କାଦୁନ ଷ୍ଟେଟରେ ୩ଟି ଗାଡ଼ି ମଧ୍ୟରେ ଧକ୍କା ହେବାରୁ ନିଆଁ ଲାଗି ଯାଇଥିଲା। ଏଥିରେ ୩୦ ଜଣ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ଗତବର୍ଷ ଦେଶରେ ୧୦,୬୩୭ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫,୧୦୧ ଲୋକଙ୍କ ଜୀବନ ଯାଇଛି। ସେହିପରି ୩୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।