ଇସଲାମାବାଦ: ଦୀର୍ଘ ୫୦ ଘଣ୍ଟାର ଘମାଘୋଟ ଲଢ଼େଇ ପରେ ଆତଙ୍କୀଙ୍କ କବଳରେ ଥିବା ଅଧିକାରୀଙ୍କୁ ମୁକୁଳାଇବାକୁ ପାକିସ୍ତାନ ସେନା। ଏହି ମାରାଥନ ଅପରେସନରେ ୩୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ସେହିପରି ଅପରେସନରେ ସାମିଲ ଥିବା ଦୁଇ ଜଣ ସ୍ପେଶାଲ ଫୋର୍ସ ଯବାନଙ୍କ ଜୀବନ ଯାଇଛି।
ଆତଙ୍କୀଙ୍କ ଲଢ଼େଇ କରିବା ବେଳେ ଆଉ ୧୫ ଜଣ ଯବାନଙ୍କ ଦେହରେ ଗୁଳି ମଧ୍ୟ ବାଜିଛି। ସେମାନେ ଏବେ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଦୀର୍ଘ ୫୦ ଘଣ୍ଟା ଧରି ଚାଲିଥିବା ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଆସିଫ ସୂଚନା ଦେଇଛନ୍ତି।
ରବିବାର ପାକିସ୍ତାନର ଖାୟବର ପାଖତୁନଖ୍ୱାର ବାନୁରେ ଥିବା ଆତଙ୍କବାଦ ନିରୋଧ କେନ୍ଦ୍ର(ସିଟିଡି)କୁ ସ୍ଥାନୀୟ ତାଲିବାନ ଆତଙ୍କବାଦୀମାନେ କବଜା କରି ନେଇଥିଲେ। ସେମାନେ ସେଠାରେ ଥିବା ସୁରକ୍ଷାକର୍ମୀ ଓ ଅଧିକାରୀମାନଙ୍କୁ ପଣବନ୍ଦୀ କରିଥିଲେ। ଏହାପରେ ଆରମ୍ଭ ହୋଇଥିବା ଘମାଘୋଟ ଲଢ଼େଇ।
ରବିବାର ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି)ର କିଛି ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ସିଟିଡିରେ ଅଟକ ରଖି ଜେରା କରୁଥିଲେ। ହେଲେ ସେମାନେ କାଉଣ୍ଟର ଆଟାକ କରି ସୁରକ୍ଷାକର୍ମୀଙ୍କ ପଞ୍ଝାରୁ ମୁକୁଳି ଯାଇଥିଲେ। ଏଥିସହ ସୁରକ୍ଷାକର୍ମୀଙ୍କ ଏକେ ୪୭ ବନ୍ଧୁକ ଛଡ଼ାଇ ନେଇ ସମସ୍ତଙ୍କୁ ପଣବନ୍ଦୀ କରି ନେଇଥିଲେ।
#بنوں اپریشن: یرغمالیوں کو چھڑانے کے لئے سکیورٹی فورسز کا اپریشن جاری ہے، دھماکوں اور فائرنگ کی آوازیں سنی جاسکتی ہیں pic.twitter.com/wvBsxwWscU
— Tahir Khan (@taahir_khan) December 20, 2022
ମୋଟ ୩୩ ଜଣ ଆତଙ୍କବାଦୀ ଏହି ପଣବନ୍ଦୀ ଘଟଣାରେ ସାମିଲ ଥିଲେ। ଖବର ମିଳିବା ମାତ୍ରେ ପାକିସ୍ତାନ ସେନା ଓ ସ୍ପେଶାଲ ଫୋର୍ସର ଯବାନମାନେ ପୂରା ବିଲଡିଂକୁ କର୍ଡନ କରି ଆତଙ୍କବାଦୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷିତ ଭାବେ ଆଫଗାନିସ୍ତାନ ଯିବାକୁ ଏୟାରଲିଫ୍ଟର ବ୍ୟବସ୍ଥା କରିବାକୁ ସରକାରଙ୍କ ଆଗରେ ଦାବି ରଖିଥିଲେ।
ଯଦି ସେମାନଙ୍କ ଦାବି ପୂରଣ ନ ହେବ, ତା’ହେଲେ ସେମାନେ ସବୁ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ। ହେଲେ ଅଧିକାରୀମାନେ ଏହାକୁ ନ ଶୁଣି ସମସ୍ତ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ପାକିସ୍ତାନର କିଛି ମୌଲବୀ ମଧ୍ୟ ଆଫଗାନିସ୍ତାନରେ ଥିବା ଟିଟିପି ମୁଖିଆଙ୍କ ସହ କଥାବାର୍ତ୍ତା ହୋଇ ପଣବନ୍ଦୀ ସ୍ଥିତିକୁ ଶେଷ କରିବାକୁ ଚେଷ୍ଟା କରିଥିଲେ।
କିନ୍ତୁ କିଛି ବି ଲାଭ ମିଳି ନଥିଲା। ଶେଷରେ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା। ଗୁଳି ମାଡ଼ ଓ ବିସ୍ଫୋରଣରେ ପୂରା ଅଞ୍ଚଳ ଥରି ଉଠିଥିଲା। ଦୀର୍ଘ ୫୦ ଘଣ୍ଟାର ଲଢ଼େଇ ପରେ ପାକିସ୍ତାନ ସେନା ସମସ୍ତ ୩୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରି ପଣବନ୍ଦୀ ସ୍ଥିତିରେ ପୂର୍ଣ୍ଣଚ୍ଛେଦ ଟାଣିଥିବା କହିଛି।
ତେବେ ପଣବନ୍ଦୀ ଥିବା ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରୁ କେତେ ଜଣ ପ୍ରାଣ ହରାଇଛି ଏବଂ କେତେ ଜଣ ଆହତ ହୋଇଛନ୍ତି, ସେକଥା ପାକିସ୍ତାନ ସେନା ସ୍ପଷ୍ଟ କରନି। ଏହି ଅପରେସନରେ ସ୍ପେଶାଲ ଫୋର୍ସର ୨ ଜଣ କମାଣ୍ଡୋଙ୍କର ମୃତ୍ୟୁ ହୋଇଛି। ଜଣେ ମେଜରଙ୍କ ସମେତ ୯ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
TKD MONITORING: Video footage from last nights attack in South Waziristan shows intense firing and clashes between the Khyber Pakhtunkhwa Police and militants from the Tehrik-e-Taliban Pakistan (TTP) including usage of heavy weapons. pic.twitter.com/8aqF5pBYjr
— The Khorasan Diary (@khorasandiary) December 20, 2022
ଏହି ଅପରେସନ ପାଇଁ ବାନୁରେ ଥିବା ସମସ୍ତ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରାଯାଇଥିଲା। ସେହିପରି ଲୋକମାନଙ୍କୁ ଘର ଭିତରେ ରହିବାକୁ କୁହାଯାଇଥିଲା। କ୍ୟାଣ୍ଟନମେଣ୍ଟ ଓ ଏହାର ଆଖପାଖ ଅଞ୍ଚଳରେ ମୋବାଇଲ୍ ସେବା ମଧ୍ୟ ଅପରେସନ ବେଳେ ଠପ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।