ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଜରାଟର କଂସେଇ କହିଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବାରୁ ବିଜେପିର ଜଣେ ନେତା ତାଙ୍କୁ ସମାଲୋଚନା କରିଥିଲେ। ଏଥିସହ ତାଙ୍କ ମୁଣ୍ଡ ପାଇଁ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ଏହାକୁ ନେଇ ଭୁଟ୍ଟୋ ଆଜି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ନିଜର ବୟାନକୁ ପରୋକ୍ଷରେ ଠିକ୍ ବୋଲି କହିବା ସହ ଇତିହାସର ତଥ୍ୟ ଆଧାରରେ ସେ ମତ ରଖିଥିଲେ। କିନ୍ତୁ ବିଜେପି ଏହାକୁ ବ୍ୟକ୍ତିଗତ ଅପମାନ ଭାବେ ଗ୍ରହଣ କରିଥିବା ଭୁଟ୍ଟୋ ଦାବି କରିଛନ୍ତି।
ସେ କହିଛନ୍ତି, “ଶ୍ରୀ ମୋଦିଙ୍କ ପାର୍ଟିର ଜଣେ ନେତା ମୋ ମୁଣ୍ଡ ପାଇଁ ୨୦ ମିଲିୟନ ବା ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ତେଣୁ ମୁଁ ଭାବୁଛି ମୋଦି ଗୁଜରାଟର କଂସେଇ ବୋଲି ତଥ୍ୟକୁ ଅଗ୍ରାହ୍ୟ କରିବାକୁ ଏହା ଆଦୌ ଉପଯୁକ୍ତ ପଦକ୍ଷେପ ନୁହେଁ। ଏତେ ବଡ଼ କଥା କହି ସେ ଇତିହାସକୁ ବଦଳାଇ ପାରିବେ ନାହିଁ। ମୁଁ ଇତିହାସକୁ ଆଧାରରେ ମତ ରଖିଥିଲି।”
ବିଲାୱଲ ଭୁଟ୍ଟୋଙ୍କ ବୟାନକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ଦେଖି ପାକିସ୍ତାନର ଜଣେ ମନ୍ତ୍ରୀ ଶାଜିଆ ମାରିସ୍ ଭାରତକୁ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ। ଏ ସମ୍ପର୍କରେ ମତ ରଖି ବିଲାୱଲ କହିଛନ୍ତି, “ଆମେ ଯେତେବେଳେ ଆମ ପଡ଼ୋଶୀ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ପୁରସ୍କାର ଘୋଷଣା କରୁଛୁ ସେତେବେଳେ ଆମେ ସବୁ ସୀମା ଅତିକ୍ରମ କରିଯାଉଛି। ମୋ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା ହୋଇଥିବାରୁ ପରମାଣୁ କଥା ଉଠିଥିଲା। ହେଲେ କେହି ବି ପରମାଣୁ ଯୁଦ୍ଧ ଚାହାନ୍ତି ନାହିଁ। ଆମେ ପରମାଣୁ ଶକ୍ତିର ଅଧିକାରୀ। ତେଣୁ ଏହାକୁ ସମସ୍ତେ ନଜରେ ରଖିବା ଦରକାର ବୋଲି ମନ୍ତ୍ରୀ ଶାଜିଆ କହିଥିଲେ।”
Foreign Minister of Pakistan @BBhuttoZardari's interview with Bloomberg https://t.co/CDX7iiIRpk
— PPP (@MediaCellPPP) December 19, 2022
ସୂଚନାଯୋଗ୍ୟ, ଭୁଟ୍ଟୋ ସର୍ବସମ୍ମୁଖରେ ମୋଦିଙ୍କୁ ଗୁଜରାଟର କଂସେଇ କହିଥିବାରୁ ଉତ୍ତର ପ୍ରଦେଶର ଜଣେ ବିଜେପି ନେତା ମନୁପାଲ ବଂଶଲ ଏହାକୁ ତୀବ୍ର ବିରୋଧ କରିଥିଲେ। ଏଥିପାଇଁ ସେ ଭୁଟ୍ଟୋଙ୍କ ମୁଣ୍ଡ ପାଇଁ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।