ବେଜିଂ: ଭୋଜିଭାତ ହେଉ ଅବା କୌଣସି ପିକ୍ନିକ୍ରେ କିମ୍ବା କୌଣସି ଶୁଭ କାମରେ ଲେମ୍ବୁର ଆବଶ୍ୟକତା ସବୁବେଳେ ଥାଏ। ଏବେ ବଢ଼ୁଥିବା କୋଭିଡ ସଂକ୍ରମଣ ପାଇଁ ଚୀନ୍ ଚର୍ଚ୍ଚାରେ ରହିଛି। ଏହାରି ଭିତରେ ଏଠାରେ ହୁ ହୁ ବଢ଼ି ଚାଲିଛି ଲେମ୍ବୁର ଚାହିଦା। ଏବେ ଡ୍ରାଗନ୍ ଧଡାଧଡ ଭାବେ ପିଇ ଚାଲିଛି ଲେମ୍ବୁରସ।
କରୋନାରୁ ମୁକ୍ତି ପାଇବା ପାଇଁ ଚୀନ୍ବାସୀ ଏବେ ଆପଣାଇଛନ୍ତି ପ୍ରାକୃତିକ ଉପାୟ। କୌଣସି ଔଷଧ ନୁହେଁ ବରଂ ସିଧା ଲେମ୍ବୁକୁ ନେଇ ଏଠି ବଢ଼ୁଛି ଡିମାଣ୍ଡ। ଯଦିଓ ସେଠାରେ ଶୀତ ପଡିଛି କିନ୍ତୁ ଲେମ୍ବୁରେ ଥିବା ରୋଗ ପ୍ରତିରୋଧକ ଶକ୍ତି ହିଁ କରୋନା ଭଳି ସଂକ୍ରମଣକୁ ମାତ ଦେଇପାରିବ ବୋଲି ବେଜିଂବାସୀ ବିଶ୍ୱାସ ରଖିଛନ୍ତି।
ଚୀନ୍ରେ ଲେମ୍ବୁ ଚାଷୀଙ୍କ କାରବାର ଆକଶଛୁଆଁ ହୋଇଛି। ଦିନକୁ ୨୦ରୁ ୩୦ ଟନ୍ ଯାଏଁ ବିକ୍ରି ହେଉଛି ଲେମ୍ବୁ । ସେଠାକାର ଜଣେ ଚାଷୀଙ୍କ କହିବା ମୁତାବକ, ଯେଉଁଠି ସପ୍ତାହରେ ୩ରୁ ୪ ଟନ୍ ଲେମ୍ବୁ ବିକ୍ରି ହେଉଥିବା ସେଠି ଦିନକରେ ଏବେ ୨୦ରୁ ଅଧିକ ଟନ୍ର ଲେମ୍ବୁ ବିକ୍ରି ହେଉଥିବା ସେ କହିଛନ୍ତି।
ଲେମ୍ବୁରେ ଭରପୂର ମାତ୍ରରେ ଭିଟାମିନ୍ ସି ରହିଛି। କେବଳ ସେତିକି ନୁହେଁ କ୍ୟାଲସିଅମ, ପୋଟାସିଅମ, ଫାଇବର ଭଳି ପୋଷକ ତତ୍ତ୍ୱ ଏହା ଭରପୂର ରହିଛି। ଏହା ଶୀରର ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ ରଖେ। ଏଥିସହ ଲେମ୍ବୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ଏହାକୁ ଡି-ଟକ୍ସ ରୂପେ ମଧ୍ୟ ବ୍ୟବହାର କରାଯାଏ।
ଲେମ୍ବୁରେ ଏତେ ସବୁ ଗୁଣ ଥିବା ଲାଗି ଏବେ ଚାଇନାବାସୀ ଏହାକୁ କରୋନାର ଅମୋଘ ଔଷଧ ରୂପେ ଆପଣାଇ ନେଇଛନ୍ତି। ବେଜିଂ ଓ ଶାଙ୍ଘାଇରୁ ଲୋକେ ପୁଳା ପୁଳା ଲେମ୍ବୁ ବୋହି ଆଣୁଛନ୍ତି। ଏଥିଲାଗି ଏଠାରେ ଲେମ୍ବୁର ଦାମ୍ ହୁ ହୁ ହୋଇ ବଢ଼ି ଚାଲିଛି । ସାଧାରଣ ଦିନରେ ଚୀନ୍ରେ ଲେମ୍ବୁ ଅଧା କିଲୋ ପ୍ରତି ୨ରୁ ୩ ୟୁଆନ୍ରେ ବିକ୍ରି ହେଉଥିଲା। ଏବେ କିନ୍ତୁ କରୋନା କାଳରେ ଏହା ୬ ୟୁଆନ୍ରେ ବିକ୍ରି ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।