Advertisment

ଧାରା ୩୭୦ ଉଚ୍ଛେଦକୁ ବିରୋଧ ମାମଲା, ଆବେଦନ ପ୍ରତ୍ୟାହାର କଲେ ଶେହଲା ଓ ଶାହ ଫୈଜଲ

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆଇଏଏସ୍ ଅଫିସର ଶାହ ଫୈଜଲ ଓ ପୂର୍ବତନ ଛାତ୍ର ନେତା ଶେହଲା ରସିଦ ଶୋରା ସୁପ୍ରିମକୋର୍ଟରେ ଯେଉଁ ପିଟିସନ ଦାଏର କରିଥିଲେ, ତାକୁ ପ୍ରତ୍ୟାହାର କରି ନେଇଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
Shehla and Shah

Shehla and Shah

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆଇଏଏସ୍ ଅଫିସର ଶାହ ଫୈଜଲ ଓ ପୂର୍ବତନ ଛାତ୍ର ନେତା ଶେହଲା ରସିଦ ଶୋରା ସୁପ୍ରିମକୋର୍ଟରେ ଯେଉଁ ପିଟିସନ ଦାଏର କରିଥିଲେ, ତାକୁ ପ୍ରତ୍ୟାହାର କରି ନେଇଛନ୍ତି।  

Advertisment

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଫୈଜଲ ଓ ଶୋରାଙ୍କୁ ସେମାନଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଥିଲେ। ଏହା ସହିତ ଏହି ମାମଲାରେ ଆବେଦନକାରୀଙ୍କ ତାଲିକାରୁ ସେମାନଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। 

୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଏହାକୁ ନେଇ ବିବାଦ ଲାଗି ରହିଛି। ଏହି ଧାରା ଉଚ୍ଛେଦ ହେବା ପରେ ସେଠାକାର ଅଧିବାସୀଙ୍କ ସାମ୍ବିଧାନିକ ଅଧିକାର ‍କ୍ଷୁର୍ଣ୍ଣ ହୋଇଥିବା ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ଦାଖଲ କରାଯାଇଛି। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ଆସନ୍ତା ଅଗଷ୍ଟ ୨ରୁ ଏହି ମାମଲାର ନିୟମିତ ଶୁଣାଣି କରାଯିବା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ମାତ୍ର ଏହାର କିଛି ସମୟ ପରେ ଆବେଦନକାରୀ ଆଇଏଏସ ଅଫିସର୍ ଶାହ ଫୈଜଲ ଏବଂ ପୂର୍ବତନ ଛାତ୍ର ନେତା ଶେହଲା ରସିଦ ଶୋରା ସେମାନଙ୍କ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

Advertisment

୨୦୦୯ରେ ଶାହ ଫୈଜଲ ବେଶ୍ ଚର୍ଚ୍ଚାରେ ରହିଥିଲେ। ସେହିବର୍ଷ ସେ ଆଇଏଏସ୍ ପାଇଥିଲେ। ସେ ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷାରେ ୧ ନମ୍ବର ସ୍ଥାନ ହାସଲ କରିଥିଲେ। ପ୍ରଥମ କଶ୍ମୀରୀ ହିସାବରେ ସେ ଏହି ଗୌରବ ହାସଲ କରିଥିଲେ। ଆଇଏଏସ୍ ଅଫିସର ଭାବେ ବିଭିନ୍ନ ପଦପଦବୀରେ କାମ କରିବା ପରେ ୨୦୧୯ରେ ସେ ଚାକିରି ଛାଡ଼ି ଦେଇଥିଲେ। କେନ୍ଦ୍ର ସରକାର ଭାରତୀୟ ମୁସଲିମଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ତା’ପରେ ସେ ‘ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭମେଣ୍ଟ’ ନାମରେ ଏକ ରାଜନୀତିକ ଦଳ ଗଠନ କରିଥିଲେ। ଗତ ବର୍ଷ ସେ ପୁଣି ଚାକିରିକୁ ଫେରିବାକୁ ଓ ତାଙ୍କ ଇସ୍ତଫା ପ୍ରତ୍ୟାହାର କରି ନେବାକୁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ସରକାର ଗ୍ରହଣ କରିଥିଲେ। 

ଅନ୍ୟପକ୍ଷରେ ଶେହଲା ରସିଦ ଶୋରା ଜେଏନ୍‌ୟୁର ଛାତ୍ର ସଂଘର ଉପ-ସଭାପତି ଥିଲେ। ୨୦୧୬ରେ ଦେଶଦ୍ରୋହ ମାମଲାରେ ଗିରଫ ତତ୍‌କାଳୀନ ଛାତ୍ର ନେତା କହ୍ନେୟା କୁମାର ଓ ଉମର ଖଲିଦଙ୍କୁ ମୁକ୍ତ କରିବାକୁ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ ଶେହଲ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରେ ସେ ଶାହ ଫୈଜଲଙ୍କ ଦଳରେ ଯୋଗ ଦେଇଥିଲେ। 

Article 370 Jammu Kashmir Supreme Court