ବିନିକା/ବାଙ୍କି(ଦିଲୀପ କୁମାର ସାହୁ ଓ ସଞ୍ଜିବ କୁମାର ନାୟକ): ବିନିକା ଅଞ୍ଚଳରେ ମାତିଛନ୍ତି ୪୦ ଟିକିଆ ହାତୀ ପଲ। ଦୁଇ ଦିନ ହେଲା ଏହି ହାତୀ ପଲ ଉତ୍ପାତ ମଚାଇଛନ୍ତି। ଫଳରେ ଚାଷୀଙ୍କ ଶହ ଶହ ଏକର ଫସଲ ନଷ୍ଟ ହୋଇଯାଇଛି।
ହାତୀ ଉପଦ୍ରବ ଯୋଗୁ ବିନିକା ବ୍ଲକର ସେଲେଡି, ଝରାପଡା, ତୁଲୁଣ୍ଡୁପାଲି, ଗରିଆପାଲି ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଫସଲ। ସଂଧ୍ୟା ହେଲେ ହାତୀ ପଲ ମାଡି ଆସୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଧାନ ଅମଳ ବେଳେ ହାତୀ ଉପଦ୍ରବ ଚାଷୀର ଚିନ୍ତା ବଢାଇଛି। ହାତୀ ଉପଦ୍ରବରୁ ଫସଲ ରକ୍ଷା କରିବାକୁ ବନ ବିଭାଗ ଓ ସ୍ଥାନୀୟ ଲୋକେ ଉଦ୍ୟମ ଚଳାଇଛନ୍ତି। ହାତରେ ଠେଙ୍ଗା, ମଶାଲ, ଲାଇଟ ଧରି ବନବିଭାଗ ସହ ରାତି ଅନିଦ୍ରା ରହି ଲୋକେ ହାତୀ ଘଉଡ଼ାଉଛନ୍ତି। ତଥାପି ନିଜ ନିଜ ଫସଲ ବଞ୍ଚାଇପାରୁ ନାହାନ୍ତି ଲୋକେ।
ସେପଟେ ଗତ କିଛି ଦିନ ହେଲା ବାରଙ୍ଗ ବ୍ଲକର ରାମଦାଶପୁର ପଞ୍ଚାୟତର ଗୋଡିସାହି ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଡମପଡା-ଚନ୍ଦକା ଅଭ୍ୟାରଣ୍ୟର ୨୨ ଟିକିଆ ହାତୀପଲ ଏଠାରେ ଉତ୍ପାତ ମଚାଇଛନ୍ତି।
ଗୋଡିସାହି ଅଞ୍ଚଳରେ ଥିବା ଆଦିବାସୀ ଲୋକେ ଭାଗକୁ ଜମି ଆଣି ଖରିଫ ଧାନ ଚାଷ କରିଥିଲେ। ହେଲେ ଧାନ ଅମଳ ହେବା ହାତୀପଲ ଆସି ଏକର ଏକର ଚାଷଜମିକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଫଳରେ ଭାଗଚାଷୀ ମୁଣ୍ଡରେ ଏବେ ଚଡ଼କ ପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।