ଫୁଲବାଣୀ/ବରଗଡ଼(ଓଡ଼ିଶା ରିପୋର୍ଟର): ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ସ଼ଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଛି। କେଉଁଠି ଗଛରେ ତ କେଉଁଠି ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବାଇକ୍। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ଘଟିଛି। କନ୍ଧମାଳ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ବରଗଡ଼ ଜିଲ୍ଲା ଦୁର୍ଘଟଣାରେ ୨ ଜଣ ଆଖି ବୁଜିଛନ୍ତି।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ବାଇକ୍ ଗଛରେ ପିଟିହେଲା । ଫଳରେ ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତରଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ୩ ଜଣ ଯୁବକ ଗୋଟିଏ ପଲସର ବାଇକ୍ ଯୋଗେ ଜି.ଉଦୟଗିରିରୁ ରାଇକିଆ ଅଭିମୁଖେ ଯାଉଥିଲେ । ବାକିଙ୍ଗିଆ ନିକଟ ଗଡ଼ିସିଲା ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ବାଇକ୍ଟି ପିଟି ହୋଇଯାଇଥିଲା ।
ସେହିପରି ବରଗଡ଼ ଜିଲ୍ଲା ଭଟଲି ଥାନା ସୁକୁଡ଼ାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି । ଯୁବକଦ୍ୱୟ ଏକ ବାଇକ୍ ଯୋଗେ କେଦାରନାଥସ୍ଥିତ ଶିବ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଫେରିବା ସମୟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ଟି ବାଡେଇ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।