ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୫ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ଓ ଝାରସୁଗୁଡ଼ା। ଏସବୁ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଏହି ଲଘୁଚାପ ହେଲେ ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେଥିପାଇଁ ଏ ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଆଜି ସକାଳ ୮ଟା ୩୦ ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷାର ପରିମାଣ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ୭୮.୨ ମିମି, ବାରିପଦାରେ ୬୩.୪, କଟକରେ ୩୯.୪, ଭୁବନେଶ୍ୱରରେ, ସୁନ୍ଦରଗଡ଼ରେ ୨୫ ଓ ତାଳଚେରରେ ୩୫ ମିମି ବର୍ଷା ରେକର୍ଡ କରାଯାଇଛି।
ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ୧୨ ଘଣ୍ଟା ଯାଏ ସମୁଦ୍ର ଅଶାନ୍ତ ରହିପାରେ। ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।