ଭୁବନେଶ୍ୱର: ସ୍ମାର୍ଟ ସିଟି ଯୋଜନାରେ ରାଜ୍ୟର ୫ ଟି ସହରକୁ ସାମିଲ କରାଯିବା ନେଇ ଆଜି ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଗାଇଡ଼ଲାଇନ୍ ଅନୁସାରେ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟିର ମାନଦଣ୍ଡ ପୂରଣ କରୁଥିବା ସହର ଭାବେ ଆଗରେ ରହିଛନ୍ତି। ଶହେ ପଏଣ୍ଟ ମାନଦଣ୍ଡରୁ ଭୁବନେଶ୍ୱର ୭୦ ଓ ରାଉରକେଲା ୬୧.୮ ପଏଣ୍ଟ ପାଇଛି। କଟକ, ବ୍ରହ୍ମପୁର ଓ ସମ୍ୱଲପୁର ୬୦ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ତେବେ ସମସ୍ତ ୫ଟି ଯାକ ସହରକୁ ସ୍ମାର୍ଟ ସିଟି ଯୋଜନାରେ ସାମିଲ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ନେଇ ଜୁଲାଇ ୩୧ ତାରିଖ ସୁଦ୍ଧା କେନ୍ଦ୍ର ନିକଟରେ ରାଜ୍ୟ ସରକାର ରିପୋର୍ଟ ଦାଖଲ କରିବେ।