ଫୁଙ୍ଗୁଳା ସ୍ୱାସ୍ଥ୍ୟସେବା: ମାସକରେ ଚାକିରି ଛାଡ଼ିଲେଣି ୬ ଡାକ୍ତର, କାରଣ ଅସ୍ପଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିକୁ ନେଇ ମାତ୍ରାଧିକ ପ୍ରଚାର କରି ବାହାବା ନେଉଥିବା ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଗତ ମାସକ ମଧ୍ୟରେ ୬ଜଣ ଡାକ୍ତର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ରାଜ୍ୟରେ ଡାକ୍ତର ସଙ୍କଟ ଲାଗି ରହିଥିଲେ ମଧ୍ୟ ଏହି ଡାକ୍ତରମାନେ କେଉଁ ପରିସ୍ଥିତିରେ ଚାକିରି ଛାଡ଼ିବାକୁ ଆବେଦନ କଲେ ଓ ସରକାର ଏଥିପାଇଁ ଅନୁମତି ଦେଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ମିଳିଥିବା […]

doctor

doctor

Ordigital Desk
  • Published: Friday, 02 September 2022
  • Updated: 02 September 2022, 09:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିକୁ ନେଇ ମାତ୍ରାଧିକ ପ୍ରଚାର କରି ବାହାବା ନେଉଥିବା ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଗତ ମାସକ ମଧ୍ୟରେ ୬ଜଣ ଡାକ୍ତର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ରାଜ୍ୟରେ ଡାକ୍ତର ସଙ୍କଟ ଲାଗି ରହିଥିଲେ ମଧ୍ୟ ଏହି ଡାକ୍ତରମାନେ କେଉଁ ପରିସ୍ଥିତିରେ ଚାକିରି ଛାଡ଼ିବାକୁ ଆବେଦନ କଲେ ଓ ସରକାର ଏଥିପାଇଁ ଅନୁମତି ଦେଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ମିଳିଥିବା ସୂଚନା ଅନୁସାରେ, କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆସୋସିଏଟ୍ ପ୍ରଫେସର ଥିବା ବିଧୁଭୂଷଣ ମହାନ୍ତି ନିଜର ସ୍ୱାସ୍ଥ୍ୟଜନିତ କାରଣ ଦର୍ଶାଇ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଅନୁମତି ଦେଇଛନ୍ତି । ଡାକ୍ତର ମହାନ୍ତି କୋରାପୁଟ ମେଡିକାଲ କଲେଜରେ ଆନାସ୍ଥାଲୋଜି ବିଭାଗରେ ଆସୋସିଏଟ୍ ପ୍ରଫେସର ଥିଲେ । ଯଦିଓ ଏହି ମେଡିକାଲ କଲେଜରେ ୫ଟି ପ୍ରଫେସର ପଦବୀ ଓ ଅନ୍ୟ ୧୪ଟି ବିଭାଗରେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ତଥାପି ରାଜ୍ୟ ସରକାର ଡାକ୍ତର ମହାନ୍ତିଙ୍କୁ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛନ୍ତି ।

ସେହିପରି ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ପ୍ରଦୀପ କୁମାର ମହାପାତ୍ର, ବଲାଙ୍ଗିର ଜିଲ୍ଲା ହସ୍ପିଟାଲରେ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର, ପଦ୍ମପୁରସ୍ଥିତ ସବଡିଭିଜିନାଲ ହସ୍ପିଟାଲର ଡାକ୍ତର ତହସିଲ ସାହୁ, ଅନୁଗୁଳ ଜିଲ୍ଲା ହସ୍ପିଟାଲର ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତର ଅରୁଣ କୁମାର ସାହୁ ଓ ବାରିପଦା ଜିଲ୍ଲା ହସ୍ପିଟାଲର ମେଡିସିନ୍ ଡାକ୍ତର ଉମାରାଣୀ ଆଚାର୍ଯ୍ୟଙ୍କୁ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ସମସ୍ତ ଡାକ୍ତର ଅଗଷ୍ଟ ମାସରେ ସରକାରୀ ଚାକିରି ଛାଡ଼ିଛନ୍ତି । ତେବେ ଏହି ଡାକ୍ତରମାନେ କେଉଁ କାରଣରୁ ସରକାରୀ ଚାକିରିରୁ ଅବ୍ୟାହତି ନେଇଛନ୍ତି ତାହା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିନି । ରାଜ୍ୟରେ ଡାକ୍ତର ଅଭାବ ଓ ରୋଗୀ ସେବାରେ ଆବଶ୍ୟକ ଅନୁପାତରେ ଡାକ୍ତର ନଥିବାବେଳେ ଯେଉଁ ଡାକ୍ତରମାନେ ରହିଛନ୍ତି ସେମାନେ କେଉଁ କାରଣରୁ ଚାକିରି ଛାଡ଼ୁଛନ୍ତି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ନିରବ ରହିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମେଡିକାଲ କଲେଜଠୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ମୋଟ ୧୮୪୭ଟି ହସ୍ପିଟାଲ ଥିବାବେଳେ ଏସବୁରେ ମୋଟ ୮୭୫୦ଟି ପଞ୍ଜିକୃତ ଡାକ୍ତର ପଦବୀ ଥିବାବେଳେ ଏବେ ଏଥିରୁ ୧୯୭୫ଟି ଡାକ୍ତରୀ ପଦ ଖାଲି ପଡ଼ିଛି । ଯଦିଓ ଗତ ୩ବର୍ଷ ମଧ୍ୟରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମେଡିକାଲ କଲେଜରୁ ମୋଟ ୨୪୨୩ଜଣ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ସଫଳତାର ସହ ସମାପ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦୧୯ରେ ୧୪୦୩, ୨୦୨୦ରେ ୭୬୩, ୨୦୨୧ରେ ୮୧ଜଣ ଓ ୨୦୨୨ରେ ୩୫୮ଜଣଙ୍କୁ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ରାଜ୍ୟ ସରକାର ସରକାରୀ ମେଡିକାଲରେ ଡାକ୍ତର ଭାବେ ନିଯୁକ୍ତି ଦେଇଛନ୍ତି ।

ପ୍ରଶ୍ନ ଉଠୁଛି, ରାଜ୍ୟରେ ରୋଗୀ ଅନୁପାତରେ ଡାକ୍ତରୀ ନଥିବା ତଥା ପଞ୍ଜିକୃତ ପ୍ରାୟ ୨ହଜାର ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ସତ୍ତ୍ୱେ ରାଜ୍ୟ ସରକାର କେଉଁ କାରଣରୁ ଏହି ଡାକ୍ତରମାନଙ୍କୁ ସ୍ୱେଚ୍ଛାକୃତ ଅବସର ନେବାକୁ ଅନୁମତି ଦେଉଛନ୍ତି । ଗୋଟିଏ ପଟେ ପିଜି ଓ ମେଡିକାଲ କଲେଜ ହସ୍ପିଟାଲରୁ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମାପ୍ତି ପରେ ପୋଷ୍ଟ ପିଜି ବଣ୍ଡ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଅଧୀନରେ ୨ବର୍ଷ ବାଧ୍ୟତାମୂଳକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ପ୍ରାବଧାନ ରହିଥିଲା ବେଳେ ବରିଷ୍ଠ ଡାକ୍ତରମାନେ ସ୍ୱେଚ୍ଛାକୃତ ଅବସର ନେବା ରାଜ୍ୟ ସରକାର ଡାକ୍ତରୀ ନିଯୁକ୍ତି ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେହିପରି ରାଜ୍ୟରେ ମୋଟ ୬୨୦ଟି ଆୟୁର୍ବେଦିକ ଡାକ୍ତରଖାନା ଥିବାବେଳେ ଏଥିରେ ମୋଟ ୩୭୩ଟି ଡାକ୍ତର କାର୍ଯ୍ୟରତ ଅଛନ୍ତି । ଅଧିକାଂଶ ଆୟୁର୍ବେଦିକ ଡାକ୍ତରଖାନା ବିନା ଡାକ୍ତରରେ ଚାଲିଛି । ଆଉ ରାଜ୍ୟ ସରକାର ଏସବୁ ଆୟୁର୍ବେଦିକ ଡାକ୍ତରଖାନାକୁ ବାର୍ଷିକ ୧.୩୮କୋଟି ଟଙ୍କାର ଔଷଧ ମାଗଣାରେ ଦେଉଛନ୍ତି । ଡାକ୍ତର ନଥିବାବେଳେ ଏସବୁ ଔଷଧ କିଏ ନେଉଛି ଓ କାହା ସ୍ୱାର୍ଥରେ ଲାଗିଛି ତାହା ବି ସ୍ୱାସ୍ଥ୍ୟ ବିଭାଗର ବେପରୁୱା ନୀତିକୁ ପଦାରେ ପକାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos