ମାଟିର ପ୍ରତିଭାଙ୍କୁ ପଦ୍ମ, ସାରା ରାଜ୍ୟରୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ ଆଜି ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଓଡ଼ିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ଏବଂ ଅନ୍ୟ ୫ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମବିଭୂଷଣ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଶାନ୍ତି ଦେବୀ(ସମାଜସେବା), ପୂର୍ଣ୍ଣମାସୀ ଜାନି(କଳା), ନନ୍ଦ ପୃଷ୍ଟି (ସାହିତ୍ୟ ଓ ଶିକ୍ଷା), ରଥଯାତ୍ରା ଉଦଘୋଷକ […]

padma

padma

Ranjit Kumar Jena
  • Published: Tuesday, 26 January 2021
  • Updated: 26 January 2021, 09:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ ଆଜି ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଓଡ଼ିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ଏବଂ ଅନ୍ୟ ୫ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମବିଭୂଷଣ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଶାନ୍ତି ଦେବୀ(ସମାଜସେବା), ପୂର୍ଣ୍ଣମାସୀ ଜାନି(କଳା), ନନ୍ଦ ପୃଷ୍ଟି (ସାହିତ୍ୟ ଓ ଶିକ୍ଷା), ରଥଯାତ୍ରା ଉଦଘୋଷକ ତଥା ସଂସ୍କୃତି ବିଶେଷଜ୍ଞ ରଜତ କୁମାର କର(ସାହିତ୍ୟ ଓ ଶିକ୍ଷା) ଏବଂ ଡାକ୍ତର କୃଷ୍ଣମୋହନ ପାଠୀ(ମେଡିସିନ) ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଓଡ଼ିଆଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।

ପୂର୍ଣ୍ଣମାସୀ ଜାନୀ ଏକାଧାରାରେ ଜଣେ ସଂଗୀତଜ୍ଞ, ସନ୍ନ୍ୟାସ ଆଉ ସାହିତ୍ୟିକ। ୩ଟି କ୍ଷେତ୍ରକୁ ଏକତାର ସୂତ୍ରରେ ବାନ୍ଧି ଉପାନ୍ତରେ ବାଟ ଚାଲୁଥିବା କନ୍ଧମାଳ ଚାରିପଡ଼ାର ଆଶୁକବି ପୂର୍ଣ୍ଣମାସୀ ଜାନୀ ନିରକ୍ଷର ହେଲେ ବି ତୁଣ୍ଡେ ତୁଣ୍ଡେ କବିତା ବୋଲନ୍ତି। ଗୀତରେ ଗୀତରେ ବେସାହାରାଙ୍କୁ ସେ ରାହା ଦେଖାନ୍ତି, ସାମାଜିକ ସମସ୍ୟାର ସମାଧାନ କରନ୍ତି। ଇତିମଧ୍ୟରେ ସେ ଗାଇଛନ୍ତି ପ୍ରାୟ ୧୦ ହଜାର ଭଜନ ସହ ଜଣାଣ। ରୋଚକ କଥା ହେଉଛି, ତାଙ୍କ ମୁଖ ନିସୃତ ଭଜନ ଆଉ ଜଣାଣ କିମ୍ବା କବିତା କେହି କାହା ସହ ସମ୍ପର୍କ ରଖିନଥାନ୍ତି କିମ୍ବା କୌଣସି କବିତାର ପୁନରାବୃତ୍ତି ହୋଇନଥାଏ। ଜଣେ ମହିଳା ହେଇ ବି ନିଜ ଅଞ୍ଚଳରେ ଟାଡିସରୁ ବାବା ନାମରେ ପରିଚିତ ପୂର୍ଣ୍ଣମାସୀ। କାରଣ ୧୯୬୯ ମସିହାରେ ଟିକାବାଲି ନିକଟ ଚପଲମେଣ୍ଡି ଟାଡିସରୁ ପାହାଡ଼ର ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତି ହୋଇଥିଲେ।

ସେହିପରି ସେବା ଲାଗି ଜୀବନବ୍ୟାପି ଉତ୍ସର୍ଗୀକୃତ ଆଉ ଜଣେ କିମ୍ବଦନ୍ତୀ ଓଡ଼ିଆ ତଥା ସ୍ୱଛ, ଶାନ୍ତ ଆଉ ସରଳଭାବର ବ୍ୟକ୍ତିତ୍ୱ ହେଉଛନ୍ତି ଶାନ୍ତି ଦେବୀ। ୧୯୩୪ ଏପ୍ରିଲ ୧୮ତାରିଖରେ ଏକ ଏକ ଜମିଦାର ପରିବାରରେ ଜନ୍ମିତ ଶାନ୍ତି ଦେବୀ ‘ସେବା ସମାଜ’ ନାଁରେ ଏକ ସଂସ୍ଥା ଗଠନ କରିବା ସହ ଗୁଣୁପୁରରେ ଏକ ଆଶ୍ରମ କରି ସେଠାରେ ଅନାଥ ଶିଶୁଙ୍କୁ ରହିବା ଓ ଶିକ୍ଷା ଯୋଗାଇ ଆସୁଛନ୍ତି। ପୂର୍ବରୁ ସେ କୋରାପୁଟରେ ଏକ ଛୋଟିଆ ଆଶ୍ରମ କରିଥିଲେ। ସମୟକ୍ରମେ ସେ ତାଙ୍କ ସ୍ୱାମୀ ଡାକ୍ତର ରତନ ଦାସଙ୍କ ସହ ଚାଲିଆସିଥିଲେ କୋରାପୁଟ ଜିଲ୍ଲାକୁ। ସେଠାରେ ଏକ ଆଶ୍ରମ କରି ଦୂରାରୋଗର ଶିକାର ବ୍ୟକ୍ତିଙ୍କ ସେବା ଶୁଶ୍ରୁଷା କରୁଥିଲେ। ବିନୋବା ଭାବେଙ୍କ ସହ ମିଶି ଭୂମିହୀନଙ୍କୁ ସହାୟତା କରୁଥିଲେ। ଆଦିବାସୀ ଝିଅଙ୍କ ପାଇଁ ରାୟଗଡ଼ାରେ ଆଶ୍ରମ ପ୍ରତିଷ୍ଠା କରି ନିଜ ପ୍ରଚେଷ୍ଟାରେ ଶିକ୍ଷା ଓ ସଂସ୍କାର ସହ ସମାଜରେ ପ୍ରତିଷ୍ଠା ଲାଗି ଉଦ୍ୟମ କରିଥିଲେ। ଅନାଥ ପିଲାଙ୍କ ପାଇଁ ବି ସେ ପାଲଟିଯାଇଥିଲେ ମା'। ଆଜି ସେହି ଉତ୍ସର୍ଗୀକୃତ ସେବାକୁ ମିଳିଛି ସମ୍ମାନ।

ଅପରପକ୍ଷରେ ଯାଜପୁର ଜିଲ୍ଲା ସୁକିନ୍ଦା କନ୍ତିରା ଗାଁ ଚାଟଶାଳୀର ନନ୍ଦ ମାଷ୍ଟ୍ରେ ଓରଫ୍ ନନ୍ଦ କିଶୋର ପୃଷ୍ଟି। ବୟସରେ ଶତକ ମାରିସାରିଲେଣି। ୧୦୩ ବର୍ଷ ବୟସରେ ବି ପିଲାମାନଙ୍କୁ ଗଛମୂଳେ ପାଠ ପଢ଼ାଇବାକୁ ଭୁଲନ୍ତି ନାହିଁ। ତେବେ ବଡ଼ କଥା ହେଉଛି ନିଜର ଏହି ମହତ କାମ ବା ଶିକ୍ଷାଦାନ ପାଇଁ ସେ କେବେ ବି କାହାଠୁ ପାରିଶ୍ରମିକ ନେଇନାହାନ୍ତି। ତିନି ପିଢ଼ି ଧରି ପାଠ ପଢ଼ାଇ ଆସୁଥିବା ନନ୍ଦ ସାରଙ୍କ ଚାଟଶାଳୀକୁ ଏବେ ପୂରିଛି ୭୫ ବର୍ଷ। ଆଜି ବି ପୂର୍ବଭଳି ଗାଁ ଦାଣ୍ଡରେ ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀରେ ପ୍ରବଳ ଭିଡ଼ ଜମେ। ଯେଉଁଠି ଆଜି ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos