ବସିବା ଠା’ରୁ ଉଠିବା କ୍ଷମତା ନାହିଁ, ଜିଏସ୍‌ଟି ପଠାଇଲା ୬୧ ହଜାର ପୈଠ ନୋଟିସ୍

କେନ୍ଦୁଝର(ପ୍ରଣୟ କୁମାର ପାଣି): ମଇଳା ପ୍ୟାଣ୍ଟସାଟ୍। ବସିବା ଠା’ରୁ ଉଠିବାର କ୍ଷମତା ନାହିଁ। ବଙ୍କୁଲି ଧରିଲେ ବହୁ କଷ୍ଟରେ ଶୌଚାଳୟ ଯାଇଆସି ପାରନ୍ତି। ମାନସୀକ ସ୍ଥିତି ମଧ୍ୟ ଠିକ୍ ନାହିଁ। ଝାଟିମାଟିରେ ଗଢ଼ା ଟାଇଲ୍ ଛପର ଘରେ ବିତୁଛି ଦୁଃଖଦ ଜୀବନ। ରୋଗର ଯନ୍ତ୍ରଣା ସାଙ୍ଗକୁ ଓ ବାର୍ଦ୍ଧକ୍ୟର ପୀଡ଼ା ତାଙ୍କୁ ଦୁର୍ଦ୍ଦିନରେ ପକାଇ ଦେଇଛି। ହେଲେ ଆଶ୍ଚର୍ଯ୍ୟର କଥା ଏଭଳି ଜଣେ ଗରିବ, ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନିକଟକୁ ଆସିଛି ୬୧ ହଜାର ୪୭୨ […]

gst

gst

Niranjan Mishra
  • Published: Friday, 02 December 2022
  • Updated: 02 December 2022, 06:16 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): ମଇଳା ପ୍ୟାଣ୍ଟସାଟ୍। ବସିବା ଠା’ରୁ ଉଠିବାର କ୍ଷମତା ନାହିଁ। ବଙ୍କୁଲି ଧରିଲେ ବହୁ କଷ୍ଟରେ ଶୌଚାଳୟ ଯାଇଆସି ପାରନ୍ତି। ମାନସୀକ ସ୍ଥିତି ମଧ୍ୟ ଠିକ୍ ନାହିଁ। ଝାଟିମାଟିରେ ଗଢ଼ା ଟାଇଲ୍ ଛପର ଘରେ ବିତୁଛି ଦୁଃଖଦ ଜୀବନ। ରୋଗର ଯନ୍ତ୍ରଣା ସାଙ୍ଗକୁ ଓ ବାର୍ଦ୍ଧକ୍ୟର ପୀଡ଼ା ତାଙ୍କୁ ଦୁର୍ଦ୍ଦିନରେ ପକାଇ ଦେଇଛି। ହେଲେ ଆଶ୍ଚର୍ଯ୍ୟର କଥା ଏଭଳି ଜଣେ ଗରିବ, ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନିକଟକୁ ଆସିଛି ୬୧ ହଜାର ୪୭୨ ଟଙ୍କା ଜିଏସ୍‌ଟି ପୈଠ ନୋଟିସ୍। ଯାହାକୁ ନେଇ ହତ୍‌ବାକ୍ କେନ୍ଦୁଝର ସଦର ବ୍ଲକର ଡିମ୍ବୋ ଗ୍ରାମର  ୬୫ ବର୍ଷିୟ ବିରଞ୍ଚି ମହାରଣା ଓ ତାଙ୍କ ପରିବାର। ନା ସେ ବ୍ୟାଙ୍କରେ ଜମା ଖାତା ଖୋଲିଛନ୍ତି, ନା ତାଙ୍କର ବ୍ୟବସାୟ ଅଛି। ହେଲେ କେହି ଦୁର୍ବୃତ୍ତ ତାଙ୍କ ନାମରେ ଜିଏସ୍‌ଟି ଠକେଇ କରିବା ପରେ ତାଙ୍କୁ ଏଭଳି ନୋଟିସ୍‌ ଆସିଥିବା ଏବେ ବିରଞ୍ଚି ଓ ତାଙ୍କ ପରିବାର ଲୋକେ ସନ୍ଦେହ କରିଛନ୍ତି। ପ୍ରଶାସନିକ ବ୍ୟବସ୍ଥା ଓ ଜିଏସ୍‌ଟି ବିଭାଗର ଏଭଳି କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଯାହା ପରେ ଘଟଣାର ତଦନ୍ତ ଦାବି କରିଛନ୍ତି ବିରଞ୍ଚି ଓ ତାଙ୍କ ପରିବାର ଲୋକେ।

ଅଭିଯୋଗ ମୁତାବକ, ବିରଞ୍ଚି ଗତ ୫ ବର୍ଷରୁ ଅଧିକ ସମୟ ହେବ ଚଳନ କ୍ଷମତା ହରାଇ ଘରେ ପଡ଼ିଛନ୍ତି।‌ ସେ ସୁସ୍ଥ ଥିବାବେଳେ ଗାଁରେ ମୂଲ ଲାଗି ପରିବାର ଚଳାଉଥିଲେ। ଦୁଇଦିନ ତଳେ ‌କେନ୍ଦୁଝର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାନ୍ଧ୍ୟ ଶାଖା ପକ୍ଷରୁ ତାଙ୍କ ପାଖକୁ ଏକ ନୋଟିସ୍‌ ଆସିଛି। ଏହି ନୋଟିସ୍‌ରେ ୬୧ ହଜାର ୪୭୨ ଟଙ୍କା ଜିଏସ୍‌ଟି ପଇଠ କରି ନଥିବାରୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବ ବୋଲି ଜିଏସ୍‌ଟି ବିଭାଗ ପକ୍ଷରୁ ଦର୍ଶାଯାଇଛି। ନୋଟିସ୍‌ ପାଇବା ପରେ ବିରଞ୍ଚିଙ୍କ ମୁଣ୍ଡରେ ଚଢ଼କ ପଡ଼ିଛି।

ବିରଞ୍ଚିଙ୍କ ପତ୍ନୀ ବାସନ୍ତୀ ମହାରଣା ଓ ପୁଅ ଦିଲୀପ ମହାରଣା କହିଛନ୍ତି, ବାପା ତାଙ୍କ ଜୀବନ କାଳ ଭିତରେ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ନାହାନ୍ତି। ତାଙ୍କର ପା‌ନ୍‌କାର୍ଡ, ବ୍ୟବସାୟ କିମ୍ବା ଜିଏସ୍‌ଟି ପଞ୍ଜିକରଣ ନମ୍ବର ମଧ୍ୟ ନାହିଁ। ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ଏବଂ ପାନ୍‌କାର୍ଡ ବାହାର କରାଯିବା କଥା ମଧ୍ୟ ସେ ଜାଣନ୍ତି ନାହିଁ। ତାଙ୍କ ନାମରେ କିଏ ଏବଂ କାହିଁକି ଏଭଳି ଜିଏସ୍‌ଟି ନମ୍ବର ବାହାରି ଏଭଳି ‌କରିଛି ତାହା ତାଙ୍କୁ ବିସ୍ମିତ କରିଛି। ପହଞ୍ଚିଥିବା ନୋଟିସ୍‌ରେ ବିରଞ୍ଚି ମହାରଣା ମାର୍ଫତ ଇନ୍ଦ୍ରମଣି ସାହୁ, ପ୍ଲଟ୍‌ ନମ୍ବର-୧୩୫/୪୨୫, ୧୨୮, ୧୩୫, ୧୨୮/୫୩୨, ଡିମ୍ବୋ , କେନ୍ଦୁଝର ବୋଲି ଲେଖାଯାଇଛି। ଏହି ଇନ୍ଦ୍ରମଣି ସାହୁ କିଏ ? ତାଙ୍କୁ କେହି ଚିହ୍ନି ନାହାନ୍ତି। ବାପାଙ୍କ ବିନା ଅନୁମତିରେ କେହି କାରସାଦି କରି ତାଙ୍କ ନାମରେ ପାନ୍‌କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ବ୍ୟବସାୟିକ ଲାଇସେନ୍ସ ବାହାର କରାଯାଇ ଏଭଳି ଠକେଇ କରାଯାଇଥିବା ସନ୍ଦେହ କରାଯାଉଛି। ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ପୁଅ ଦିଲୀପ କହିଛନ୍ତି।

ଏ ସବୁ ନେଇ  ଜିଏସଟି ବିଭାଗ ଅଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos