ବୋହୂ ମାନ୍ୟତା ଦାବିରେ ଧାରଣା: ମାମଲା ତୁଟୁନି, ଧାରଣା ବି ହଟୁନି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମାମଲା ତୁଟୁନି। ଧାରଣା ବି ହଟୁନି। ନିଇତି ଚାଲୁଛି ନୂଆ ନୂଆ ଡ୍ରାମା। ବ୍ରହ୍ମପୁର ଦେଶୀ ବେହେରା ସାହିରେ ଗତକାଲିର ତୁ ତୁ ମେ ମେ ଓ ଟେଣ୍ଟ ଚିରା ହାଇଡ୍ରାମାକୁ ନେଇ ବଡ଼ ବଜାର ପୁଲିସର ତନାଘନା। ଆଜି ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅଭିଯୋଗକାରିଣୀ କେ.ଦୀପିକାଙ୍କ ବୟାନ ରେକର୍ଡ କରିଥିବା ବେଳେ ପ୍ରେମିକ ଦୀନେଶର ବାପା-ମାଆଙ୍କୁ ବି ଥାନାକୁ ଡାକି ପଚରାଉଚରା କରିଛି। ଗତକାଲିର ଘଟଣା କାହିଁକି ଘଟିଲା ? କିଏ […]

beherampur

beherampur

Niranjan Mishra
  • Published: Friday, 07 October 2022
  • Updated: 07 October 2022, 08:06 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମାମଲା ତୁଟୁନି। ଧାରଣା ବି ହଟୁନି। ନିଇତି ଚାଲୁଛି ନୂଆ ନୂଆ ଡ୍ରାମା। ବ୍ରହ୍ମପୁର ଦେଶୀ ବେହେରା ସାହିରେ ଗତକାଲିର ତୁ ତୁ ମେ ମେ ଓ ଟେଣ୍ଟ ଚିରା ହାଇଡ୍ରାମାକୁ ନେଇ ବଡ଼ ବଜାର ପୁଲିସର ତନାଘନା। ଆଜି ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅଭିଯୋଗକାରିଣୀ କେ.ଦୀପିକାଙ୍କ ବୟାନ ରେକର୍ଡ କରିଥିବା ବେଳେ ପ୍ରେମିକ ଦୀନେଶର ବାପା-ମାଆଙ୍କୁ ବି ଥାନାକୁ ଡାକି ପଚରାଉଚରା କରିଛି।

ଗତକାଲିର ଘଟଣା କାହିଁକି ଘଟିଲା ? କିଏ କିଏ ଆକ୍ରମଣ କରିଥିଲେ ? କିଏ ଓ କାହିଁକି ଟେଣ୍ଟ ଚିରିଲା ? ସବୁ କଥା ଗୋଟି ଗୋଟି କରି ଦୀପିକାଙ୍କଠାରୁ ପଚାରି ବୁଝିଥିଲେ ତଦନ୍ତକାରୀ ଅଧିକାରୀ। ଯେହେତୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୁଲିସ୍ ଆଗରୁ ତାଗିଦ୍ କରିଥିଲା, ତେବେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ଏବଂ ଆକ୍ରମଣ ଆଗ କିଏ କଲା ? ସେ ନେଇ ବି ତଥ୍ୟ ସଂଗ୍ରହ ହୋଇଛି ।

ଦୀନେଶଙ୍କ ପରିବାର ଲୋକେ ତାଙ୍କ ତଣ୍ଟି ଚିପିବା ସହ ଟଣାଓଟରା କରିଥିଲେ, ଯେଉଁଥିରେ ସେ ଆହତ ହୋଇଛନ୍ତି ବୋଲି ଦୀପିକା ଥାନାରେ ଲିଖିତ ଅଭିଯୋଗ କରିଥିବାରୁ-ଉକ୍ତ ମାମଲା ଆଧାରରେ ପୁଲିସ୍ ଦୀପିକାଙ୍କୁ ସାଙ୍ଗରେ ଧରି ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ବି କରାଇଛି। ତାସହ ଦୀନେଶର ବାପା-ମାଆଙ୍କୁ ବି ଥାନାକୁ ନେଇ ଘଟଣା ସମ୍ପର୍କରେ ପଚରାଉଚରା କରି ଛାଡ଼ିଛି।

ଦିନେଶଙ୍କ ମାଆ କେ. ବିଟାଶ୍ରୀ କହିଛନ୍ତି, ଘର ଅଗରେ ବସି ଖିର ବାଲା ଓ ଘରେ କାମ କରୁଥିବା ସହାୟିକାକୁ ନ ଛାଡ଼ିବାରୁ ଏହି ଅସନ୍ତୋଷ ବଢ଼ିଛି। ତେଣୁ ପୁଲିସ ଡାକିଥିବାରୁ ସେ ଥାନାକୁ ଯାଇ ଏହାର ଉତ୍ତର ରଖିଛନ୍ତି।

ତେଣେ ଦୀପିକାଙ୍କର ସେହି ଗୋଟିଏ ଜିଦ୍, ତାଙ୍କୁ ପତ୍ନୀର ମାନ୍ୟତା ଓ ତାଙ୍କ ପୁଅକୁ ବାପର ପରିଚୟ ମିଳୁ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଶାନ୍ତିଶୃଙ୍ଖଳାର ସହ ଧାରଣା ଜାରି ରଖିବେ।

ସୂଚନା ଥାଉକି, ଆଜିକୁ ମିଶାଇ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ ୧ ତାରିଖରୁ ପ୍ରେମିକ ଦୀନେଶଙ୍କ ଦୁଆରେ ଦୀପିକା ଅହୋରାତ୍ର ଧାରଣା ଦେଉଛନ୍ତି। ଯାହାକୁ ନେଇ ଦେଶୀ ବେହେରା ସାହିରେ ଅସନ୍ତୋଷ ବି ଦେଖା ଦେଇଥିଲା। କିଛି ଲୋକ ତାଙ୍କ ଟେଣ୍ଟ ଭଙ୍ଗାରୁଜା କରିବାରୁ ବଡ଼ବଜାର ଥାନାରେ ଏତଲା ବି ଦେଇଥିଲେ ଦୀପିକା। କିନ୍ତୁ ତାଙ୍କ ମୂଳ ଦାବିର ଏଯାଏଁ ସମାଧାନ ହୋଇନଥିବାରୁ ଧାରଣାରୁ ସେ ଉଠିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସଫା ସଫା କହିଛନ୍ତି ଦୀପିକା।

ପୂର୍ବରୁ ଦୀପିକା, ପ୍ରେମିକ ଦୀନେଶଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ବି ଆଣିଥିଲେ। ଯେଉଁଥିପାଇଁ ଦିନେଶଙ୍କୁ ଜେଲ୍ ବି ଯିବାକୁ ପଡ଼ିଥିଲା। ଏବେ ସେ ଜାମିନରେ ଅଛନ୍ତି। ଦୀପିକାଙ୍କ ଦାବି ଯେହେତୁ ତାଙ୍କ ପୁଅର ଡିଏନ୍ଏ ରିପୋର୍ଟ ପଜିଟିଭ୍ ଆସିଛି ଓ ଦୀନେଶ ହିଁ ତାଙ୍କ ପିଲାର ବାପା, ତେଣୁ ଶୀଘ୍ର ଦୀନେଶଙ୍କ ପରିବାର ଏହାକୁ ମାନିନେଇ ତାଙ୍କୁ ବୋହୂ ଭାବେ ଗ୍ରହଣ କରନ୍ତୁ।

ତେଣେ ପ୍ରେମିକ ଦୀନେଶଙ୍କର ଆଉ ଦେଖା ମିଳୁନି। ତେଣୁ ଦୀପିକାଙ୍କ ଏ ଧାରଣା କେବେ ସମାପ୍ତ ହେଉଛି ଓ କେତେଶୀଘ୍ର ତାଙ୍କୁ ନ୍ୟାୟ ମିଳୁଛି ? ତାକୁ ଏବେ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos