ନାବାଳିକାକୁ ଦୁଷ୍କର୍ମ, ସରପଞ୍ଚଙ୍କ ସ୍ୱାମୀ ଗିରଫ

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିବା ଅଭିଯୋଗରେ ଅଡ଼ବା ସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କୁ ଗିରଫ କରିଛି ପୁଲିସ୍‌। ଶନିବାର ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେବା ପରେ ପୁଲିସ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ଜଣଙ୍କ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ସ୍କୁଲ ଯିବା ଆସିବା କଲା ବେଳେ ତାଙ୍କ ଉପରେ ନଜର ପକାଇଥିଲେ ମାନସ ମଣ୍ଡଳ। ଦିନେ ଛାତ୍ରୀଙ୍କ ବାପାମା’ କାମକୁ ଯାଇଥିବା ବେଳେ ସେ ତାଙ୍କ ଘରକୁ ଆସିଥିଲେ। ମୋବାଇଲ୍ ଦେଖାଇବା ବାହାନାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ତା’ପରେ ଧମକଚମକ ଦେଇ ବହୁବାର ଦୁଷ୍କର୍ମ କରିଥିଲେ। ଏ ବିଷୟରେ କାହାକୁ କିଛି କହିଲେ ମାରି ଦେବେ ବୋଲି ଛାତ୍ରୀ ଜଣଙ୍କୁ ମାନସ ଧମକ ଦେଇଥିଲେ। ତେଣୁ ଛାତ୍ରୀ ଜଣଙ୍କ ଚୁପ୍ ରହିଥିଲେ।

ଗତ ୧ ତାରିଖରେ ଛାତ୍ରୀ ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ। କ’ଣ ହୋଇଛି ବୋଲି ବାପା ପଚାରିବାରୁ ସେ ସବୁ କଥା କହିଥିଲେ। ସରପଞ୍ଚଙ୍କ ସ୍ୱାମୀ ତାଙ୍କୁ ବହୁବାର ଦୁଷ୍କର୍ମ କରିଥିବା କଥା କହିଥିଲେ। ଏହା ସହିତ ସେ ଗର୍ଭବତୀ ଥିବା କଥା ବି କହିଥିଲେ।

ଏ ନେଇ ଖବର ଯାଇ ପହଞ୍ଚିଥିଲା ସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କ ପାଖରେ। ଗର୍ଭ ନଷ୍ଟ କରିବା ପାଇଁ ସେ ଛାତ୍ରୀଙ୍କ ପରିବାର ଲୋକଙ୍କୁ କହିଥିଲେ। ମାତ୍ର ଏଥିରେ ସେମାନେ ରାଜି ନହେବାରୁ ମାନସ ସେମାନଙ୍କୁ ଅର୍ଥ ଓ ଇନ୍ଦିରା ଆବାସ ଯୋଜନାରେ ଘର ଦେବାକୁ ଲୋଭ ଦେଖାଇଥିଲେ। ମାତ୍ର ସେମାନେ ରାଜି ନହେବାରୁ ହତ୍ୟା ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଏହା ପରେ ପରିବାର ଲୋକେ ଗତକାଲି ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଖୋଳତାଡ଼ କରି ମାନସଙ୍କୁ ଗିରଫ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।