ପୁରୀ: ନବକଳେବର ଘୋଷଯାତ୍ରା ସମୟରେ ଆଡ଼ପ ମଣ୍ଡପରେ ନନ୍ଦିଘୋଷ ରଥରେ ଜଣେ ମହିଳା ଭକ୍ତ ଚଢ଼ିଥିଲେ । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ଆଶିଷ ସିଂହ କହିଛନ୍ତି । ଏସପି ସିଂହ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରଥରେ ଯେଉଁ ମହିଳା ଜଣକ ଚଢ଼ିଥିଲେ ତାଙ୍କୁ ଚିହ୍ନଟ କରାଯାଇଛି । ତଦନ୍ତ ସରିଛି, ତାଙ୍କ ସମ୍ପର୍କରେ ପୁରୀ ଅତିରିକ୍ତ ଏସପି ଆଜି ରିପୋର୍ଟ ପ୍ରଦାନ କରିବେ । ଏହି ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଶ୍ରୀଜିଉମାନେ ମାଉସୀ ମା’ ମନ୍ଦିର ସମ୍ମୁଖରେ ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବା ବେଳେ ଜଣେ ମହିଳା ନନ୍ଦିଘୋଷ ରଥ ଉପରେ ଚଢିଥିଲେ । ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା ।ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆର୍ତ୍ତତ୍ରାଣ ପ୍ରତିହାରୀ ନାମକ ଜଣେ ପ୍ରତି ସେବାୟତଙ୍କୁ ନିଲମ୍ବିତ କରାଯାଇଥିଲା । ଏହାସହ ନନ୍ଦିଘୋଷ ରଥର ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସେଠାରେ ଉପସ୍ଥିତ ଥାଇ ବି ଏପରି କାର୍ଯ୍ୟକୁ ଅଣଦେଖା କରିବାକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଓଟିଭିକୁ ସୂଚନା ଦେଇ ରଥକୁ କିଏ ଚଢିଲା ତାହା ଦେଖିବା ତାଙ୍କ କାମ ନୁହେଁ, ଏହାର ତଦାରଖ କରିବା ପ୍ରଶାସନର ଦାୟିତ୍ୱ ବୋଲି ପ୍ରତିକ୍ରିୟା ଦେଇଥିଲେ । ସୂଚନାଯୋଗ୍ୟ ଯେ, ତିନି ରଥକୁ କୌଣସି ଭକ୍ତ ଚଢି ପାରିବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।