କାମ ନକରି ମାଲେମାଲ୍‌ ଠିକାଦାର, ୫ କୋଟିର ଘୋଟାଲା ଧରିଲେ ଏଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ନୂଆପାଟଣା ମହାନଦୀ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣରେ ହୋଇଛି ବଡ଼ ଧରଣର ଦୁର୍ନୀତି। କାମ ନ କରି ଠିକାଦାରଙ୍କୁ ଦିଆଯାଇଛି ୪ କୋଟି ୮୬ ଲକ୍ଷ ଟଙ୍କା। ପୂର୍ତ୍ତ ବିଭାଗର ଏହି ବଡ଼ ଦୁର୍ନୀତିକୁ ଧରିବା ସହ ଠିକାଦାରଙ୍କୁ ଏଭଳି ଅନୁଚିତ ଅନୁଗ୍ରହ ସମ୍ପର୍କରେ ଜବାବ ମାଗିଛନ୍ତି ଏଜି। ଗତ ଜୁନ ୨ ତାରିଖରେ ସିଏଜି ପୂର୍ତ୍ତ ବିଭାଗକୁ ଦେଇଥିବା ଚିଠିରେ ଦର୍ଶାଇଛନ୍ତି, ୪୦୦ ମିଟର ଆପ୍ରୋଚ ରୋଡ ସହ ସଂପୂର୍ଣ୍ଣ ବ୍ରିଜ ନିର୍ମାଣ […]

AG-OBJECTS-TO-FULL-PAYMENT-TO-CONTRACTOR-BEFORE-COMPLETING-PROJECT

Manoranjan Sial
  • Published: Thursday, 18 July 2019
  • , Updated: 18 July 2019, 08:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ନୂଆପାଟଣା ମହାନଦୀ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣରେ ହୋଇଛି ବଡ଼ ଧରଣର ଦୁର୍ନୀତି। କାମ ନ କରି ଠିକାଦାରଙ୍କୁ ଦିଆଯାଇଛି ୪ କୋଟି ୮୬ ଲକ୍ଷ ଟଙ୍କା। ପୂର୍ତ୍ତ ବିଭାଗର ଏହି ବଡ଼ ଦୁର୍ନୀତିକୁ ଧରିବା ସହ ଠିକାଦାରଙ୍କୁ ଏଭଳି ଅନୁଚିତ ଅନୁଗ୍ରହ ସମ୍ପର୍କରେ ଜବାବ ମାଗିଛନ୍ତି ଏଜି।

ଗତ ଜୁନ ୨ ତାରିଖରେ ସିଏଜି ପୂର୍ତ୍ତ ବିଭାଗକୁ ଦେଇଥିବା ଚିଠିରେ ଦର୍ଶାଇଛନ୍ତି, ୪୦୦ ମିଟର ଆପ୍ରୋଚ ରୋଡ ସହ ସଂପୂର୍ଣ୍ଣ ବ୍ରିଜ ନିର୍ମାଣ ପାଇଁ ୨୦୧୯ ଜାନୁଆରୀ ସୁଦ୍ଧା ଠିକାଦାର ସଂସ୍ଥାକୁ ସମସ୍ତ ୧୪୨ କୋଟି ୪୧ ଲକ୍ଷ ଟଙ୍କା ଦିଆଯାଇଛି। କିନ୍ତୁ ଫେବ୍ରୁଆରୀରେ ହୋଇଥିବା ଅଡିଟ୍‌ ରିପୋର୍ଟରୁ ମୋଟ୍‌ ୪୦୦ ମିଟର ଆପ୍ରୋଚ ରୋଡ୍‌ରୁ ଉଭୟ କଟକ ଓ ନୂଆପାଟଣା ପାର୍ଶ୍ୱରେ ମାତ୍ର ୧୨୭ ମିଟର ସଂଯୋଗ ରାସ୍ତା ହୋଇଛି। ତେବେ ବାକି ୨୭୩ ମିଟର ରାସ୍ତା ଓ ସେଫ୍‌ଟି ଡିଭାଇସ୍‌ କାମ ନହୋଇ ମଧ୍ୟ ଠିକାଦାରଙ୍କୁ ଆଗୁଆ ଶତପ୍ରତିଶତ ଅର୍ଥ ଦିଆଯାଇଛି। ଏପରିକି ପୂର୍ତ୍ତବିଭାଗ ମଧ୍ୟ ଏଥିପାଇଁ ନିର୍ଦ୍ଦେଶ ଦେଇନଥିବା ଦର୍ଶାଇଛନ୍ତି ଏଜି। ଏହାଦ୍ୱାରା ସଂପୃକ୍ତ ଠିକାଦାରକୁ ଅନୁଚିତ ଭାବେ ୪ କୋଟି ୮୬ ଲକ୍ଷ ଟଙ୍କାର ଫାଇଦା ଦେଇଥିବା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଏଜି।

ଆଉ ଏଜିଙ୍କ ଏହି ଚିଠି ପରେ ଅକଳରେ ପଡ଼ିଥିବା ପୂର୍ତ୍ତବିଭାଗ କମ୍ପ୍ଲାଏନ୍ସ ରିପୋର୍ଟ ପ୍ରସ୍ତୁତିରେ ଲାଗିପଡ଼ିଛି। ଏପରିକି ବିଭାଗୀୟ ଚିଫ୍‌ ଇଞ୍ଜିନିୟରଙ୍କୁ ୨୬ ତାରିଖ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ। ଆଉ ଏପଟେ ଘୋଟାଲା ସାମ୍ନାକୁ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, “ଜଣେ ଠିକାଦାର କାମ ସାରିନି। କିନ୍ତୁ ତାଙ୍କୁ ଅଧିକ ପଇସା ଦିଆଯାଉଛି। ଏଥିରୁ ସରକାରଙ୍କ ଠିକାଦାର ପ୍ରୀତି ପଦାରେ ପଡ଼ିଛି। ଏହି ଘଟଣାର ଅନୁସନ୍ଧାନ ହେବ ଓ ଆମେ ବିଧାନସଭାରେ ଉପସ୍ଥାପନ କରିବୁ।” ସେହିପରି, କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି, “ମିଳିମିଶି ସରକାର ଅର୍ଥକୁ ଲୁଟୁଛନ୍ତି। ଏହାର ତଦନ୍ତ ହେବା କଥା।”

ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ କାମ ଠିକାଦାର କରି ନାହାନ୍ତି, ସେହି କାମ ପାଇଁ କିଭଳି ଅର୍ଥ ଆଗୁଆ ଦିଆଗଲା? ଠିକାଦାରଙ୍କୁ ୪ କୋଟି ୮୬ ଲକ୍ଷ ଟଙ୍କାର ଅନୁଚିତ ଅନୁଗ୍ରହ ପଛରେ କାରଣ କଣ? ଠିକାଦାର ୨୭୩ ମିଟର ରାସ୍ତା ନିର୍ମାଣ କରି ନଥିଲେ ମଧ୍ୟ ପୂର୍ତ୍ତବିଭାଗ ଆଖି ବୁଜିଦେଲା କେଉଁ ସ୍ୱାର୍ଥରେ?

ତେବେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ଏଥିରେ କିଛି ଅନିୟମିତତା ହୋଇନି।

Related story