ଶିକ୍ଷା ବଜେଟ୍ କମିଲା, ସ୍ୱାସ୍ଥ୍ୟ ବଜେଟ ଟଙ୍କାଟିଏ ବି ବଢ଼ିଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ କ୍ଷମତାସୀନ ବିଜେଡି ପଞ୍ଚମ ପାଳି ସରକାର ଗଠନ କରିବା ପରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟକୁ ଜନମଙ୍ଗଳ ଓ ବିକାଶମୁଖୀ ବଜେଟ ବୋଲି ଦାବି କରିବା ସହ କୃଷି ଓ କୃଷକ କଲ୍ୟାଣ, ଦାରିଦ୍ର‌୍ୟ ଦୂରୀକରଣ, ଖାଦ୍ୟ ନିରାପତ୍ତା, ସର୍ବାଙ୍ଗୀନ ବିକାଶ ସମେତ ମହିଳା, ଶିଶୁ, ଚାଷୀ, ଶ୍ରମିକ, ବରିଷ୍ଠ ନାଗରିକ,ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଥିବା ଅର୍ଥମନ୍ତ୍ରୀ […]

ALLOCATION-FOR-EDUCATION-SLASHED-WHILE-BUDGET-FOR-HEALTH-SECTOR-REMAIN-THE-SAME

ALLOCATION-FOR-EDUCATION-SLASHED-WHILE-BUDGET-FOR-HEALTH-SECTOR-REMAIN-THE-SAME

Manoranjan Sial
  • Published: Friday, 28 June 2019
  • Updated: 28 June 2019, 08:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ କ୍ଷମତାସୀନ ବିଜେଡି ପଞ୍ଚମ ପାଳି ସରକାର ଗଠନ କରିବା ପରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟକୁ ଜନମଙ୍ଗଳ ଓ ବିକାଶମୁଖୀ ବଜେଟ ବୋଲି ଦାବି କରିବା ସହ କୃଷି ଓ କୃଷକ କଲ୍ୟାଣ, ଦାରିଦ୍ର‌୍ୟ ଦୂରୀକରଣ, ଖାଦ୍ୟ ନିରାପତ୍ତା, ସର୍ବାଙ୍ଗୀନ ବିକାଶ ସମେତ ମହିଳା, ଶିଶୁ, ଚାଷୀ, ଶ୍ରମିକ, ବରିଷ୍ଠ ନାଗରିକ,ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ତେବେ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରର ବଜେଟ ହ୍ରାସ ପାଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆବଣ୍ଟିତ ଅର୍ଥ ପରିମାଣ ସମାନ ରହିଛି। ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ବତୀଗିରି ବୃହତ୍ ଉଠାଜଳସେନ ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧ଲକ୍ଷ ୩୯ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ଗତ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ୧୫.୮ ପ୍ରତିଶତ ଅଧିକ। ବଜେଟରେ ବିଭିନ୍ନ ଟିକସ ଓ ଅନୁଦାନ ବାବଦରେ ୧୧୫.୨୬୬ କୋଟି ଟଙ୍କାର ରାଜସ୍ୱ ପ୍ରାପ୍ତି ହେବ ବୋଲି ଆକଳନ କରାଯାଇଥିବା ବେଳେ ୨୩,୭୩୪ କୋଟି ଟଙ୍କାର ଋଣ ଆଣି ବଜେଟ୍ ଖର୍ଚ୍ଚ ଭରଣା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ମୋଟ ଜିଡିପି ୫ଲକ୍ଷ ୪୦ହଜାର ୮୧୨କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ରାଜ୍ୟ ସରକାର ନିଜର ଟିକସ ଓ ଅଣଟିକସ କ୍ଷେତ୍ରରୁ ୪୫,୫୦୦ କୋଟି ଟଙ୍କା, କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଟିକସ ବାବଦକୁ ୬୯,୭୬୬କୋଟି ଟଙ୍କା ପାଇବେ ବୋଲି ଆକଳନ କରିଛନ୍ତି। ଜିଏସଟି କ୍ଷତିପୂରଣ ଯୋଗୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କଠୁ ଅଧିକ ଅର୍ଥ ମିଳିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟ ସରକାର ଶିକ୍ଷା ବଜେଟକୁ ହ୍ରାସ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଜିଏସଡିପି (ରାଜ୍ୟର ମୋଟ ଘରୋଇ ଉତ୍ପାଦ)ର ୩.୬୧ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ପାଇଁ ବ୍ୟୟବରାଦ କରାଯାଇଛି। ଗତ ଆର୍ଥିକ ବର୍ଷରେ ଏହି ପରିମାଣ ୩.୬ ୮ % ଥିଲା। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ ୧୯,୪୯୨କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୧୬,୪୦୦କୋଟି, ଉଚ୍ଚଶିକ୍ଷା ପାଇଁ ୨୩୭୫ କୋଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୭୧୭ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ସେହିପରି ‘ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା’ର ସ୍ଲୋଗାନ ଦେଉଥିବା ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଟଙ୍କାଟିଏ ବି ଅଧିକ ବ୍ୟୟବରାଦ କରିନାହାନ୍ତିି। ଗତବର୍ଷ ଯାହା ଥିଲା ଚଳିତବର୍ଷ ବି ସେୟା ରହିଛି। ଚଳିତଥର ମୋଟ ଜିଏସଡିପିର ୧.୧୮% ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଖର୍ଚ୍ଚ କରିବାକୁ ବଜେଟରେ ବ୍ୟୟବରାଦ ହୋଇଛି। ଗତବର୍ଷ ମଧ୍ୟ ୧.୧୮% ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହୋଇଥିଲା। ଚଳିତ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୭୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧୨୦୩ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୫୭୮କୋଟି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଓଡ଼ିଶାର ଅଂଶଦାନ ବାବଦରେ ୧୩୨୩ କୋଟି ଟଙ୍କା ସାମିଲ ଅଛି।

ସେହିପରି ଚଳିତ ଆର୍ଥିକ ବର୍ଷରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବଜେଟ୍ ପରିମାଣ ୨୦,୭୧୪ କୋଟି ଟଙ୍କା ଥିବାବେଳେ କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପାଇଁ ବଜେଟରେ ୧୭୭୭ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ମଧ୍ୟ ୧୨୪୭କୋଟି ଟଙ୍କାର ଗଙ୍ଗାଧର ମେହେର କେନାଲ ଉଠା ଜଳସେଚନ ପାଇଁ ମାତ୍ର ୧୦୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ୧୦ଲକ୍ଷ ହେକ୍ଟର ପରିବର୍ତ୍ତେ ୯ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଦିଆଯାଇଥିବା ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ନିଜ ବଜେଟରେ ସ୍ୱୀକାର କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଆଉ ୨.୬୫ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅସମ୍ପୂର୍ଣ୍ଣ ଥିବା ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶା ନିଜର ଅଂଶଦାନ ବାଦରେ ୧୮୬୧ କୋଟି ଟଙ୍କା ବ୍ୟୟବରାଦ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos